ଗୁଳିମାଡ଼ରେ ସୂଚନା ଅଧିକାର କର୍ମୀଙ୍କ ମୃତ୍ୟୁ, ସ୍ଥାନୀୟ ଲୋକଙ୍କ ଜାତୀୟ ରାଜପଥ ଅବରୋଧ

ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପାତ୍ରସାହିରେ ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ସକାଳ ପ୍ରାୟ ୭ଟା ୩୦ରେ ଘରୁ ଡାକି ଆଣି ୨ଜଣ ଦୁର୍ବୃତ୍ତ ତାଙ୍କୁ ଗୁଳି କରି ଫେରାର ହୋଇଯାଇଛନ୍ତି ।

ଅଭିମନ୍ୟୁଙ୍କୁ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ପରେ ବାଲିଗୁଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁଳିର ଖୋକା ଜବତ କରିବା ସହ ଘଟଣାର ଛାନଭିନ୍ କରୁଛି। ତେବେ କେଉଁ କାରଣରୁ କିଏ ଅଭିମନ୍ୟୁଙ୍କୁ ଗୁଳି କଲା ତାହା ଜଣାପଡ଼ିନାହିଁ। ଅଭିମନ୍ୟୁ ଜଣେ ସୂଚନା ଅଧିକାର କର୍ମୀ ହୋଇଥିବା ବେଳେ, କୌଣସି ଏକ ବଡ଼ ଘୋଟାଲାର ପର୍ଦ୍ଦାଫାସ କରିବାକୁ ଚାହୁଁଥିବାରୁ ଗୁଳି କରାଯାଇଥିବା ସନ୍ଦେହ ହେଉଛି।


ଏହି ଘଟଣାକୁ ନେଇ ବାଲିଗୁଡା ବ୍ଲକ୍ କଂଗ୍ରେସ ପକ୍ଷରୁ ୫୯ନଂ ଜାତୀୟ ରାଜପଥକୁ ଟାୟାର ଜାଳି ଅବରୋଧ କରାଯାଇଛି। ପୁଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି କଂଗ୍ରେସ କର୍ମୀମାନଙ୍କୁ ବୁଝା ସୁଝା କରିବା ପରେ କିଛି ସମୟ ପରେ ରାସ୍ତା ଅବରୋଧ ହଟିଥିଲା। ସ୍ଥାନୀୟ ଅଞ୍ଚଳରେ ଏହି ଖବର ଚାଞ୍ଚଲ୍ୟ ଖେଳାଇ ଦେଇଛି। ଥାନା, ଏସଡିପିଓ ଏବଂ ସିଆରପିଏଫର ମୁଖ୍ୟ କ୍ୟାମ୍ପଠାରୁ ମାତ୍ର ୫୦ମିଟର ଦୂରରେ ଅଭିମନ୍ୟୁ ପଣ୍ଡାଙ୍କ ଘରଥିବା ପରେ ମଧ୍ୟ ତାଙ୍କ ସହ ଏଭଳି ହେବାରୁ ସାଧାରଣରେ ନିଜର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।