ଶିଳ୍ପାଙ୍କ ତୀରନ୍ଦାଜି ଭିଡିଓ ଭାଇରାଲ

ମୁମ୍ବାଇ, ଏଜେନ୍ସି : ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ତୀରନ୍ଦାଜି କରୁଥିବା ଫଟୋ, ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୋସିଆଲ ମିଡିଆରେ ସର୍ବଦା ସକ୍ରିୟ ଶିଳ୍ପା ନିକଟରେ ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ ସେ ତୀର ମାରି ଲକ୍ଷ୍ୟ ବିନ୍ଦୁକୁ ଭେଦ କରୁଥିବା ଦେଖିବାକୁ ମିଳୁଛି। ଭିଡିଓଟି ସେୟାର କରି ଶିଳ୍ପା କ୍ୟାପସନ ଲେଖିଛନ୍ତି – ‘ପିଲାଙ୍କ ମସ୍ତିଷ୍କ ଓ ଶରୀର କଞ୍ଚା ମାଟି ସଦୃଶ ହୋଇଥାଏ।

ଏହି ଦୃଷ୍ଟିରୁ ମୋର କହିବା କଥା, ପିଲାଙ୍କୁ ଆମେ ଛୋଟବେଳୁ ହିଁ ଅଧିକରୁ ଅଧିକ କ୍ରୀଡ଼ା ଗତିବିଧି ସହ ଅଭ୍ୟସ୍ତ କରାଇବା ଉଚିତ। ସ୍ପୋର୍ଟମ୍ୟାନ ସ୍ପିରିଟ ତାଙ୍କୁ ଶାରୀରିକ ସୁସ୍ଥତା ଦେବା ସହ ଫୁର୍ତ୍ତି ରଖିବ। ଭୋକ ବଢ଼ାଇବାରେ ସହାୟକ ହେବ। ତେବେ ପିଲାମାନେ ସେତେବେଳେ ଭଲକରି ଶିକ୍ଷା କରନ୍ତି, ଯେତେବେଳେ ଆମେ ସେସବୁ କରୁଥିବା ସେମାନେ ଦେଖନ୍ତି। ମୁଁ ଏକ ନୂଆଖେଳ ତୀରନ୍ଦାଜି ଶିଖିବା ଆରମ୍ଭ କରିଛି।’ ଶିଳ୍ପାଙ୍କ ଏହି ପୁରୁଣା ଭିଡିଓ ଖୁବ ଭାଇରାଲ ହେଉଛି ଓ ପ୍ରଶଂସକ ଏହାକୁ ପସନ୍ଦ କରିବା ସହ କମେଣ୍ଟ ବି କରୁଛନ୍ତି।