ସିଙ୍ଗାପୁର ଯିବେ ନବରଙ୍ଗପୁର ସ୍ୱୟଂ ସହାୟିକା ମହିଳା ରୁକ୍ମିଣୀ ହରିଜନ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଜିଲ୍ଲାର ମିଶନ ଶକ୍ତି ମହିଳା ରୁକ୍ମିଣୀ ହରିଜନ ସିଙ୍ଗାପୁର ଯିବେ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁଶୁଭେଚ୍ଛା ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଚୟନ କରାଯାଇଛି । ରୁକ୍ମିଣୀ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ସୟଂ ସହାୟିକା ଗୋଷ୍ଠୀର ସଦସ୍ୟା । ସେ ଏବେ ଜିଲ୍ଲା ମହାସଂଘର ସମ୍ପାଦିକା ମଧ୍ୟ ଅଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ମିଶନ ଶକ୍ତିର ମା’ମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ସେମାନଙ୍କୁ ବିଦେଶ ଭ୍ରମଣର ସୁଯୋଗ ଦେଉଛନ୍ତି । ବିଦେଶରେ ଲୋକଙ୍କ ଚାଲିଚଳଣୀ ସହିତ ସେମାନଙ୍କ କର୍ଯ୍ୟଶୈଳୀକୁ ଦେଖିବେ ଏବଂ ପ୍ରେରଣା ପାଇବା ଲକ୍ଷ୍ୟରେ ରାଜ୍ୟ ସରକାର ମିଶନ ଶକ୍ତିର ମହିଳାଙ୍କୁ ବିଦେଶ ଭ୍ରମଣର ସୁଯୋଗ ଦେଉଛନ୍ତି । ପ୍ରଥମ ପର୍ଯ୍ୟାୟରେ ମହିଳାମାନେ ଦୁବାଇ ଯାଇଥିଲେ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୧୧ଜଣ ସିଙ୍ଗାପୁର ଯିବେ । ଏହି ବିଦେଶ ଗସ୍ତରେ ଉପାନ୍ତ ନବରଙ୍ଗପୁର ଜିଲ୍ଲାର ରୁକ୍ମିଣୀ ହରିଜନ ମଧ୍ୟ ୧୧ଜଣଙ୍କ ମଧ୍ୟରେ ମନୋନୀତ ହୋଇଛନ୍ତି । ରୁକ୍ମିଣୀ ୨ ତାରିଖ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେବା ପରେ ୩ ତାରିଖରେ ସିଙ୍ଗାପୁର ଯାତ୍ରା କରିବେ । ସେଠାରେ ଏହି ୧୧ ଜଣିଆ ସଦସ୍ୟ ୩ରୁ ୬ ତାରିଖ ଯାଏଁ ଅବସ୍ଥାନ କରି ବିଭିନ୍ନ ସେଲଫହେଲ୍ପ ଗ୍ରୁପରୁ କିଭଳି ଛୋଟ ଓ ମଧ୍ୟମ ଧରଣ ଶିଳ୍ପ ପ୍ରତିଷ୍ଠା କରିପାରିବେ ସେନେଇ ବିଭିନ୍ନ ସ୍ଥାନକୁ ପରିଦର୍ଶନ କରିବେ । ଏହାସହ ବ୍ୟୁଟି ପାର୍ଲରରେ ଆଧୁନିକୀକରଣ ଉପରେ ଜ୍ଞାନ ଅର୍ଜନ କରିବେ । ସିଙ୍ଗାପୁରରୁ ଫେରିବା ପରେ ଜିଲ୍ଲାର ଅନ୍ୟ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ନିଜେ ଶିକ୍ଷା ଲାଭ କରିଥିବା ଜ୍ଞାନ ବାଣ୍ଟି କାର୍ଯ୍ୟରେ ଲଗାଇବେ । ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳ ସହିତ ରାଜ୍ୟର ବିକାଶ ହୋଇପାରିବ ବୋଲି ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ର ସୂଚନା ଦେଇଛନ୍ତି ।

ଅନ୍ୟପଟେ ବିଦେଶ ଗସ୍ତ କରିବେ ବୋଲି ସେ କେବେ ସ୍ୱପ୍ନରେ ମଧ୍ୟ ଚିନ୍ତା କରିନଥିବା ରୁକ୍ମିଣୀ ପ୍ରକାଶ କରିଛନ୍ତି । ବିଦେଶ ଗସ୍ତ ସୁଯୋଗ ଦେଇଥିବାରୁ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ୍ ଓ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କୁ ରୁକ୍ମିଣୀ ଧନ୍ୟବାଦ ଜଣାଇଛନ୍ତି ।