ଦୁର୍ଗାଙ୍କର ଅନ୍ୟତମ ଶ୍ରେଷ୍ଠ ଶକ୍ତିପୀଠ ବାରାହୀ ଠାକୁରାଣୀ

ବିଶୁ ମିଶ୍ର, ପୁରୀ

ପୁରୀ,ଏନ୍ଏନ୍ଏସ୍: ଶକ୍ତି ପରମ୍ପରା ଅନୁଯାୟୀ ବାରାହୀ ଦେବୀ ଦୁର୍ଗାଙ୍କ ଅନ୍ୟତମ ଶ୍ରେଷ୍ଠ ଶକ୍ତି। ଶକ୍ତସତୀ ଚଣ୍ଡୀଶ୍ଲୋକରେ ବାରାହୀଙ୍କ ନାମ ଉଲ୍ଲେଖ ରହିଛି। ଶ୍ରୀକ୍ଷେତ୍ରରେ ବିରାଜିତା ଅଷ୍ଟଶକ୍ତି ମଧ୍ୟରେ ବାଲିସାହିର ବାରାହୀ ଠାକୁରାଣୀ ଅନ୍ତର୍ଭୁକ୍ତ। ଶ୍ରୀକ୍ଷେତ୍ରରେ ଅଗ୍ନିକୋଣରେ ନାରାୟଣୀ, ଦକ୍ଷିଣରେ ବାରାହୀ, ପଶ୍ଚିମରେ ବାସେଳୀ, ଐଶାନ୍ୟ କୋଣରେ ସପ୍ତମାତୃକା, ଶଙ୍ଖପୃଷ୍ଠରେ ଆଲାମଚଣ୍ଡୀ ଓ ମଙ୍ଗଳା, ପୂର୍ବ ଦିଗରେ ଅର୍ଦ୍ଧାଶିନୀ, ଶଙ୍ଖଦ୍ୱାର ଦେଶରେ ଚର୍ଚ୍ଚିକା ଓ ମର୍ଚ୍ଚିକା ବିଜେ କରିଛନ୍ତି। ସେମାନଙ୍କୁ ଶ୍ରୀକ୍ଷେତ୍ରର ରକ୍ଷାକର୍ତ୍ତୀ ବୋଲି ବିବେଚନା କରାଯାଏ।

ଏହି ଶକ୍ତିପୀଠ ଅତ୍ୟନ୍ତ ପ୍ରାଚୀନ। ଶ୍ରୀମନ୍ଦିର ଦକ୍ଷିଣଦ୍ୱାର ସମ୍ମୁଖସ୍ଥ ରାସ୍ତାରେ କିଛି ବାଟଗଲେ ବାରାହୀଙ୍କ ମନ୍ଦିର ବିଦ୍ୟମାନ। ଶକ୍ତିସ୍ୱରୁପିଣୀ ଅଭୟ ବରଦାୟିନୀ ଦେବୀ ବାରାହୀ ଅଷ୍ଟଯୋଗିନୀଙ୍କ ମଧ୍ୟରୁ ଅନ୍ୟତମ। ଦେବୀଙ୍କ ପ୍ରତିମା ନିକଟରେ ନାରାୟଣ ବିଗ୍ରହ ପୂଜା ପାଉଥିବାବେଳେ ମନ୍ଦିର ପରିସରରେ ରହିଛି ଶିବଲିଙ୍ଗ ଓ ଶକ୍ତି। ଶାରଦୀୟ ପାର୍ବଣ ଅବସରରେ ବାରାହୀଙ୍କ ପୀଠରେ ଅନୁଷ୍ଠିତ ହେଉଛି ଷୋଡ଼ଶ ଦିନାତ୍ମକ ପୂଜା।

ଷୋଳପୂଜା ସମୟରେ ପ୍ରତ୍ୟହ ଦେବୀଙ୍କୁ ମଙ୍ଗଳ ଆଳତି, ମାଜଣା, ନୂଆଲୁଗା ଓ ଚନ୍ଦନ ଲାଗି କରାଯାଇଥାଏ। ଏହାପରେ ହୋଇଥାଏ ସକାଳଧୂପ। ଶୀତଳ ଭୋଗରେ ଅମ୍ବାଲୁ, କାକରା, ପୁରୀ, ଗଜା ଓ ବିଭିନ୍ନ ଫଳ ଭୋଗ ହୁଏ। ସନ୍ଧ୍ୟାଧୂପ ପରେ ପାଠ କରାଯାଏ ଚଣ୍ଡୀପୁରାଣ। ପହୁଡ଼ ପୂର୍ବରୁ ଶଙ୍ଖୁଡ଼ି ଭୋଗ କରାଯାଏ। ଷୋଡ଼ଶ ଉପଚାରରେ ଦେବୀଙ୍କୁ କରାଯାଏ ପୂଜାର୍ଚ୍ଚନା। ମହାସପ୍ତମୀରେ ପଦ୍ମବେଶ, ମହାଷ୍ଟମୀରେ ସୁନାବେଶ, ମହାନବମୀରେ ରାଜବେଶରେ ଦେବୀଙ୍କୁ ସଜ୍ଜିତ କରାଯାଇଥାଏ।

ମହାଷ୍ଟମୀର ବିଳମ୍ବିତ ରାତ୍ରରେ କାକୁଡ଼ି ବଳି ଦିଆଯିବା ସହ ସନ୍ଧି ପୂଜା କରାଯାଇଥାଏ। ଦେବୀଙ୍କୁ ମହାପ୍ରସାଦ ସମର୍ପିତ ହୋଇଥାଏ। ପୂଜା ସମୟରେ କରାଯାଏ ପଣାଭୋଗ। ତିନିପୂଜାରେ ଦେବୀଙ୍କୁ ଆମିଷ ଭୋଗ ଅର୍ପଣ କରାଯାଏ। ତ୍ରିଦିନାତ୍ମକ ପୂଜା ଅବସରରେ ଦେବୀଙ୍କୁ ଖେଚୁଡ଼ି, ମାଛ ବେଶର, ଖିରି ଓ ଦହି ପଖାଳ ଆଦି ଭୋଗ କରାଯାଇଥାଏ।