ଆରମ୍ଭ ହେଲା ଶାକ୍ତଗୁଣ୍ଡିଚା ଯାତ୍ରା

ପୁରୀ,ଏନ୍ଏନ୍ଏସ୍: ଆଶ୍ୱିନ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ଆରମ୍ଭ ହୋଇଛି ଶାକ୍ତଗୁଣ୍ଡିଚା ଯାତ୍ରା। ବିଧି ମୁତାବକ ଦୁର୍ଗାମାଧବ ସୁସଜ୍ଜିତ ରଥରେ ବିଜେ ହୋଇ ଶ୍ରୀମନ୍ଦିରରୁ ବାହାରକୁ ଆସି ଦୋଳମଣ୍ଡପ ସାହିସ୍ଥିତ ନାରାୟଣୀ ମନ୍ଦିରରେ ବିରାଜମାନ କରିଛନ୍ତି। ଏହିଯାତ୍ରା ଶୁକ୍ଳ ପ୍ରତିପଦାଠାରୁ ଆରମ୍ଭ ହୋଇ ଶୁକ୍ଳ ମହାନବମୀ ଦିନ ସମାପ୍ତ ହେବ । ଶ୍ରୀଜଗନ୍ନାଥ ମହାପ୍ରଭୁ ରଥଯାତ୍ରା ସମୟରେ ଜ୍ୟେଷ୍ଠଭ୍ରାତା ବଳଭଦ୍ର ଓ ଭଗ୍ନି ଦେବୀ ସୁଭଦ୍ରାଙ୍କ ସହିତ ରଥାରୂଢ ହୋଇ ନବଦିନ ଯାତ୍ରାରେ ଆଡପମଣ୍ଡପକୁ ବିଜେ କରିଥିବାରୁ ମହାଲକ୍ଷ୍ମୀ ଅଭିମାନ କରି ମହାପ୍ରଭୁଙ୍କ ଉପରେ ରୁଷ୍ଟ ହୋଇରହିଥାନ୍ତି।

ମହାଲକ୍ଷ୍ମୀଙ୍କୁ ଖୁସି କରାଇବା ପାଇଁ ଶ୍ରୀଜଗନ୍ନାଥ ମହାପ୍ରଭୁ ମାଧବ ଓ ମହାଲକ୍ଷ୍ମୀ ଦୁର୍ଗା ରୂପରେ ରଥାରୂଢ ହୋଇ ଦୋଳମଣ୍ଡପସାହିସ୍ଥିତ ନାରାୟଣୀ ମନ୍ଦିରକୁ ବିଜେ କରିବାର ବିଧି ରହିଛି। ଏହା ଗୁପ୍ତଗୁଣ୍ଡିଚା ବା ଶାକ୍ତଗୁଣ୍ଡିଚା ନାମରେ ଅଭିହିତ। ଏହାକୁ ମଧ୍ୟ ଦୁର୍ଗାମାଧବ ଉପାସନା କୁହାଯାଏ। ଏହି ଉପାସନା ଷୋଳପୂଜାର ଏକ ବିଶେଷ ଅଙ୍ଗ। ଏହି ଦୁର୍ଗାମାଧବ ଉପାସନା ଶ୍ରୀମନ୍ଦିର ବ୍ୟତୀତ ଅନ୍ୟତ୍ର ଦେଖିବାକୁ ମିଳିନଥାଏ।

ଶ୍ରୀମନ୍ଦିର ଭଣ୍ଡାର ଘରେ ଥିବା ଦୁର୍ଗାମାଧବ ଷୋଡ଼ଶ ଦିନାତ୍ମକ ପୂଜାର ପ୍ରାରମ୍ଭରୁ ବିମଳାଙ୍କ ମନ୍ଦିରକୁ ଯାଇ ସେଠାରେ ୮ଦିନ ଧରି ରୁନ୍ଧାହୋଇ ପୂଜା ପାଉଥିଲେ। ଯେହେତୁ ମା ବିମଳା କ୍ଷେତ୍ରେଶ୍ୱରୀ ତେଣୁ ତାଙ୍କ ମନ୍ଦିରରେ ଶକ୍ତି ଉପାସନା କରାଯାଏ। ଦୁର୍ଗାମାଧବ ସେହିଠାରେ ୮ଦିନ ଧରି ପୂଜା ପାଇବା ପରେ ନାରାୟଣୀ ମନ୍ଦିରରେ ୮ଦିନ ଧରି ପୂଜା ପାଇଥାନ୍ତି।

ତଦନୁଯାୟୀ ସୋମବାର ଦୁର୍ଗାମାଧବ ରଥାରୂଢ଼ ହୋଇ ନାରାୟଣୀ ମନ୍ଦିରରେ ପହଞ୍ଚିବା ପରେ ପରମ୍ପରା ଅନୁଯାୟୀ ପ୍ରତିହାରୀ ସେବାୟତ ତଥା ମେୱାଡ ପଣ୍ଡା ରଥ ଉପରେ ଗରାବଡୁ ଓ ପୂଜାପଣ୍ଡା ସେବକଙ୍କ ଦ୍ୱାରା ସୁବାସିତ ଜଳ ଓ କର୍ପୁର ଲାଗି କରାଇଥିଲେ। ଦୁର୍ଗାମାଧବଙ୍କୁ ଫୁଲ, ତୁଳସୀ, ବେଲପତ୍ର ଲାଗି କରିବା ସହିତ ଖଇକୋରା ଭୋଗ କରିଥିଲେ ପୂଜାପଣ୍ଡା ସେବକ। ଦୁର୍ଗାମାଧବ ନାରାୟଣୀ ମନ୍ଦିରରେ ବିରାଜମାନ କରୁଥିବା ସମୟରେ ମେୱାଡ ପଣ୍ଡାଙ୍କର ଗୃହିଣୀ ଅତ୍ୟନ୍ତ ପବିତ୍ରତା ସହକାରେ ଜଳ ବ୍ୟବହାର ନକରି ଛେନା, ଛାଚି, ଅଳେଇଚ, ଅଟାରେ ପ୍ରସ୍ତୁତ କରିଥାନ୍ତି ମାଣ୍ଡୁଅ ଭୋଗ।

ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ଶେଷହେବା ପରେ ମେୱାଡ ପଣ୍ଡାଙ୍କ ଘରୁ ଏହି ମାଣ୍ଡୁଅ ଗରାବଡୁ ସେବକ ଆଣି ଦୁର୍ଗାମାଧବଙ୍କ ସମ୍ମୁଖରେ ବାଢିଥାନ୍ତି। ପୂଜାପଣ୍ଡା ମହାପ୍ରଭୁଙ୍କୁ ଭୋଗ ଲଗାଇବା ସହିତ କର୍ପୁର ଆଳତି ଓ ଜନାର୍ଦ୍ଦନ ଧୂପ ଆଳତି କରିଥାନ୍ତି। ଶ୍ରୀମନ୍ଦିରରେ ମହାପ୍ରଭୁ ରାତ୍ର ଚନ୍ଦନଲାଗି ହେବା ପରେ ବିମାନବଡୁ ସେବକମାନେ ପୁନଶ୍ଚ ନାରାୟଣୀ ମନ୍ଦିରରୁ ପାଲିଙ୍କିରେ ଦୁର୍ଗାମାଧବଙ୍କୁ ବିଜେ କରି ଶ୍ରୀମନ୍ଦିର ଭିତରେ ଭଣ୍ଡାରଘର ପାଖରେ ଅବସ୍ଥାନ କରାଇଥାନ୍ତି। ପ୍ରତିଦିନ ଏହିଭଳି ନୀତି ସମ୍ପାଦିତ ହୁଏ ।

ମହାନବମୀ ତିଥିରେ ଶାକ୍ତ ଗୁଣ୍ଡିଚାଯାତ୍ରା ଶେଷ ହେବ। ଏହି ଦୁର୍ଗାମାଧବ ଉପାସନାର ରହସ୍ୟ ହେଉଛି ଜଗତକୁ ଆନନ୍ଦ ପ୍ରଦାନ କରିବା। ମା ଦୁର୍ଗା ହେଉଛନ୍ତି ଦୁର୍ଗତି ନାସିନୀ। ଶ୍ରୀମାଧବ ହେଉଛନ୍ତି ପରମାନନ୍ଦ ପ୍ରଦାନକାରୀ। ସେଥିପାଇଁ କୁହାଯାଏ ପରମାନନ୍ଦ ମାଧବଂ। ମା’ଦୁର୍ଗା ଜଗତର ଦୁର୍ଗତିନାଶନ କରିବା ପରେ ଜଗତ ଆନନ୍ଦମୟ ହେବାର ଦାର୍ଶନିକ ରହସ୍ୟ ରହିଛି।