ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପୁଲୱାମାରେ ଏକ ସିଆରପିଏଫ୍ ଶିବିରରେ ରାତି କାଟିଛନ୍ତି। ଶାହା ଯବାନମାନଙ୍କ ସହ ରାତିରେ ଭୋଜନ କରିବା ସହ ସୁରକ୍ଷା ସଂକ୍ରାନ୍ତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ୨୦୧୯ ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ ଆଜି ଶାହା ଏବଂ ଉପରାଜ୍ୟପାଳ ମନୋଜ ସିହ୍ନା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ଶାହା କହିଛନ୍ତି, ସିଆରପିଏଫ୍ ଶିବିରରେ ରାତି କଟାଇବା ତାଙ୍କ ଜମ୍ମୁ କଶ୍ମୀର ଗସ୍ତର ଶେଷ ଓ ସବୁଠୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ। ଜମ୍ମୁ କଶ୍ମୀରରେ ଆଇନ ଶୃଙ୍ଖଳା ସ୍ଥିତି ସୁଧୁରିଛି ଏବଂ ଲୋକଙ୍କ ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ୨୦୧୯ ଅଗଷ୍ଟ ମାସରେ ଧାରା ୩୭୦ ଉଚ୍ଛେଦ ହେବାପରେ ଶାନ୍ତି ବଜାୟ ରଖିବାରେ ସଫଳ ହୋଇଥିବା ସିଆରପିଏଫ୍ ଏବଂ ଅନ୍ୟ ସୁରକ୍ଷା ବାହିନୀକୁ ଗୃହମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିଛନ୍ତି।
ଶାହା କହିଛନ୍ତି ୨୦୦୪-୧୬ ମଧ୍ୟରେ ପ୍ରତିବର୍ଷ ହାରାହାରି ୨୦୮ ସାଧାରଣ ନାଗରିକଙ୍କ ମୃତ୍ୟୁ ହେଉଥିଲା ଏବଂ ୧୦୫ ସୁରକ୍ଷାକର୍ମୀ ସହିଦ ହେଉଥିଲେ। ୨୦୧୪-୨୧ ମଧ୍ୟରେ ପ୍ରତିବର୍ଷ ହାରାହାରି ୬୦ ଯବାନ ସହିଦ ହୋଇଛନ୍ତି ଏବଂ ୩୦ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ଜମ୍ମୁ କଶ୍ମୀର ଲୋକ ଗ୍ରହଣ କରିଛନ୍ତି ବୋଲି ଶାହା କହିଛନ୍ତି।