ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ରାଜଧାନୀରେ ବାଂଲାଦେଶୀ ରୂପଜୀବୀ ମହାନଗରରାଜ୍ୟ By Nitidin On Dec 18, 2019 Share ରାତିକ ପାଇଁ ମୋଟା ଟଙ୍କାର ଡିଲ୍ ଭୁବନେଶ୍ୱର,ଏନ୍ଏନ୍ଏସ୍: ହୋଟେଲରେ ବଙ୍ଗୀୟ ରୂପଜୀବୀଙ୍କୁ ଅସଦାଚରଣ ଓ ମାଡ଼ ଘଟଣା ପରେ ରାଜଧାନୀର ସେକ୍ସ କାରବାରର ଗୁମର ଖୋଲିବାରେ ଲାଗିଛି। ବାଂଲାଦେଶୀ ରୂପଜୀବୀମାନେ ଭାୟା ପଶ୍ଚିମବଙ୍ଗ ଦେଇ ଓଡ଼ିଶାକୁ ଆସୁଛନ୍ତି। ଜାଲ ଆଧାର କାର୍ଡ ଓ ପରିଚୟ ପତ୍ର ଦେଇ ଓଡ଼ିଶାର ହୋଟେଲରେ ମାସମାସ ଧରି ରହୁଛନ୍ତି। ଏହା ଜଣାପଡିବା ପରେ କମିଶନରେଟ ପୁଲିସର ମୁଣ୍ଡବ୍ୟଥା ବଢିଯାଇଛି। ସୂଚନା ଅନୁସାରେ, ମଙ୍ଗଳବାର ଲକ୍ଷ୍ମୀସାଗର ଥାନା ଷ୍ଟେସନବଜାରରେ ଥିବା ହୋଟେଲ ଆର୍ଶିବାଦରେ ଜଣେ ବଙ୍ଗୀୟ ଯୁବତୀଙ୍କୁ ଅସଦାଚରଣ କରାଯିବା ଘଟଣା ଲୋକଲୋଚନକୁ ଆସିବା ପରେ ପୁଲିସ ଘଟଣାକୁ ଗମ୍ଭୀରତାର ସହ ନେଇ ଛାନଭିନ ଆରମ୍ଭ କରିଛି। ଯାଞ୍ଚ ବେଳେ ଯୁବତୀଙ୍କ ଆଧାର କାର୍ଡ ଜାଲ ବୋଲି ପୁଲିସ ସନ୍ଦେହ କରୁଛି। ଆଧାର କାର୍ଡରେ ଫଟୋ ଓ ନାଁ ଠିକ୍ ଥିବା ବେଳେ ଠିକଣା ପରିବର୍ତ୍ତନ କରାଯାଇଥିବା ସନ୍ଦେହ କରାଯାଉଛି। ପୁଲିସ ଏହି ଜାଲ ଆଧାରକାର୍ଡକୁ ନେଇ ତଦନ୍ତ କରୁଥିବା ବେଳେ ଏଜେଣ୍ଟ ତାଙ୍କର ଆଧାର କାର୍ଡ ପ୍ରସ୍ତୁତ କରିଥିବା ସଂପୃକ୍ତା ଯୁବତୀ ପୁଲିସକୁ କହିଛନ୍ତି। ଏହା ପରେ ପୁଲିସ ଏଜେଣ୍ଟ କିଏ ସେ ନେଇ ତନାଘନା ଆରମ୍ଭ କରିଛି। ଏଥିସହିତ ନୂଆବର୍ଷ ସେଲିବ୍ରେସନ ଲାଗି ରାଜଧାନୀକୁ ଏବେ ୨୫ରୁ ଅଧିକ ବାଂଲାଦେଶୀ ରୂପଜୀବୀ ଆସିଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି। ସେମାନଙ୍କୁ ଠାବ କରିବା ସହ ଏଜେଣ୍ଟଙ୍କୁ ଧରିବା ଲାଗି ପୁଲିସ ତଦନ୍ତକୁ ଜୋରଦାର କରିଛି। ତେବେ ଜଣେ ନୁହେଁ ବରଂ ଏକାଧିକ ଦଲାଲ ଏହି ବାଂଲାଦେଶୀ ରୂପଜୀବୀଙ୍କୁ ଭୁବନେଶ୍ୱର ଆଣିଥିବା ପୁଲିସକୁ ସୁରାକ ମିଳିଛି। ସେମାନଙ୍କ ମଧ୍ୟରେ ସେକ ମୁନ୍ନା, ରାଜୁ ଓ ଇବ୍ରାହିମ। ଏମାନଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱରରେ ସେକ୍ସ କାରବାର ଚଳାଇ ପିପିଲିରେ ଲୁଚି ରହୁଛି। ପୁଲିସ ତାକୁ ଧରିବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ନିକଟରେ ଖଣ୍ଡଗିରି ଥାନା ଏମ୍ସନଗର ‘ସାନ୍ସିବ୍’ ପ୍ରିମିୟମ୍ ହୋଟେଲରୁ ଠାବ ହୋଇଥିବା ସେକ୍ସ ରାକେଟ ସହ ଆର୍ଶିବାଦ ହୋଟେଲରେ ଅସଦାଚରଣ ଘଟଣାର ଲିଙ୍କ ଥିବା ପୁଲିସ ସନ୍ଦେହ କରୁଛି। ସେଠାରୁ ଠାବ ହୋଇଥିବା ୬ଜଣ ବଙ୍ଗୀୟ ରୂପଜୀବୀଙ୍କ ଆଧାର କାର୍ଡ ମଧ୍ୟ ସନ୍ଦେହ ଘେରକୁ ଆସିଛି। ପୁଲିସ ଉକ୍ତ ଆଧାର କାର୍ଡକୁ ମଧ୍ୟ ଯାଞ୍ଚ କରିବାକୁ ଯୋଜନା କରୁଛି। ତେବେ ଯଦି ପୁଲିସ ଯାଞ୍ଚ ପରେ ଆଧାର କାର୍ଡଗୁଡିକ ଜାଲ ବୋଲି ଜଣାପଡେ, ତେବେ ରୂପଜୀବୀମାନେ ବାଂଲାଦେଶୀ ଅନୁପ୍ରବେଶକାରୀ ବୋଲି ସ୍ପଷ୍ଟ ହେବ। ଏହା ପରେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି। ଅପରପକ୍ଷରେ ଏହି ସେକ୍ସ କାରବାର ପଛରେ ସୁନୀଲ ମେହେରର ପ୍ରଚ୍ଛନହାତ ଥିବା ସନ୍ଦେହ କରାଯାଉଛି। ଆଗକୁ ନୂଆବର୍ଷ ଆସୁଥିବାରୁ ସୁନୀଲ ମେହେର ରାଜଧାନୀରେ ସେକ୍ସ କାରବାରକୁ ଜୋରଦାର କରିଥିବା କୁହାଯାଉଛି। ସୁନୀଲ କୋଲକାତାରେ ରହି ଏଜେଣ୍ଟ ମାଧ୍ୟମରେ ଓଡ଼ିଶାରେ ସେକ୍ସ ରାକେଟ ଚଳାଇବାକୁ ଚେଷ୍ଟା କରୁଛି। ଏବେ କିନ୍ତୁ ପୁରୁଣା ତରିକା ଛାଡି ଅନଲାଇନରେ ସେକ୍ସ ରାକେଟ ଚଳାଉଥିବା ଜଣାପଡିଛି। ବଙ୍ଗୀୟ ଯୁବତୀଙ୍କ ପାଇଁ ଦଲାଲ ଘଣ୍ଟାକୁ ସର୍ବନିମ୍ନ ୭ ହଜାରରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ନିଆଯାଉଥିଲା। ରୂପଜୀବୀଙ୍କୁ ୫ରୁ ୧୦ ହଜାର ଦିଆଯାଉଥିଲା। ବାକି ଟଙ୍କା ଏଜେଣ୍ଟ ଓ ମାଲିକ ବାଣ୍ଟି ନେଉଥିଲେ। ତେବେ ଗ୍ରାହକ ଓ ରୂପଜୀବୀଙ୍କୁ ନେବା ଆଣିବା ଲାଗି ଏକ ଗାଡି ଓ ଡ୍ରାଇଭରର ବ୍ୟବସ୍ଥା ରହିଥିଲା। ତେବେ ନୂଆବର୍ଷ ପୂର୍ବରୁ ରାଜଧାନୀରେ ଆରମ୍ଭ ହେବାକୁ ଯାଉଥିବା ସେକ୍ସ କାରବାରକୁ ରୋକିବା ଲାଗି ପୁଲିସ ଉଦ୍ୟମ ଆରମ୍ଭ କରିଦେଇଛି। Share