ବ୍ରାହ୍ମଣୀଗାଁ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ପାଙ୍ଗାଲି ନିକଟ ସିଜିଗାଣ୍ଡା ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୧୦୦ରୁ ଊର୍ଦ୍ଧ୍ଵ ଲୋକେ ଆହତ ହୋଇଥିବା ବେଳେ ଅନେକଙ୍କ ଅବସ୍ଥା ଗୁରତର ରହିଛି। ସୂଚନା ମୁତାବକ ଗଦାପୁର ପଞ୍ଚାୟତ ପୁଟୁଡୁ ମାହା ଗ୍ରାମରୁ କନ୍ୟାଯାତ୍ରୀଙ୍କୁ ନେଇ ଦାସିଙ୍ଗବାଡ଼ି ପଞ୍ଚାୟତ ପାଙ୍ଗାଲି ଗ୍ରାମକୁ ଏକ ଟ୍ରକ ଆସୁଥିବା ବେଳେ ସିଜିଗାଣ୍ଡା ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ଟ୍ରକର ଡାଲାରେ ବସିଥିବା ଶତାଧିକ କନ୍ୟା ଯାତ୍ରୀ ରାସ୍ତାର ବାମ ପାର୍ଶ୍ଵର ପ୍ରାୟ ୫୦ରୁ ୬୦ ଫୁଟ ତଳକୁ ଖସି ପଡ଼ିଥିଲେ।
ଘଟଣା ସ୍ଥଳରେ ଦାରିଙ୍ଗବାଡ଼ି ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଥିଲେ। ସେଠାରୁ ସେମାନଙ୍କୁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୮ ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠା ଯାଇଥିବା ବେଳେ ୯ ଜଣଙ୍କ ଅବସ୍ଥା ଗୁରୁତର ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ. ଯାକେଶ ସାମନ୍ତ ରାୟ କହିଛନ୍ତି।