ବେଙ୍ଗାଲୁରୁ,ଏଜେନ୍ସି: କର୍ଣ୍ଣାଟକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର-ବସ ମୁହାଁମୁହିଁ ଧକ୍କାରେ ଚାଲିଗଲା ୬ଜଣଙ୍କ ଜୀବନ । ଗତକାଲି(ଶୁକ୍ରବାର) କର୍ଣ୍ଣାଟକର କୋଡାଗୁ ଜିଲ୍ଲାରେ ଏହି ଦୁର୍ଘଟଣା ହୋଇଥିଲା । ତେବେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଅବସ୍ଥା ଗୁରୁତର ହୋଇଛି । ଦୁହିଁଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ରହିଥିବା ନେଇ ସୂଚନା ଦିଆଯାଇଛି ।
କର୍ଣ୍ଣାଟକର ଦୁଇଟି ସ୍ଥାନରେ ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ । କର୍ଣ୍ଣାଟକର କୋଡାଗୁରେ ସଡକ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବୋଲାଗାଭିର ଗୋକାକ ତାଲୁକରେ ବୁଡି ୪ଜଣ ପ୍ରାଣ ହରାଇଛନ୍ତି । ତେବେ ଶୁକ୍ରବାର ଅପରାହ୍ନରେ କୋଡାଗୁ ଜିଲ୍ଲାର ମାଦିକେରି ତାଲୁକର ସମ୍ପେଜା ନିକଟ ପେଟ୍ରୋଲ ପମ୍ପ ନିକଟରେ କାର ଏବଂ ବସ ମୁହାଁମୁହିଁ ଧକ୍କା ହୋଇଥିଲା । ତେବେ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଥିବା ନେଇ ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ମିଳିଥିବା ସୂଚନାଅନୁସାରେ, କାରଟି ମାଙ୍ଗାଲୋର ଆଡକୁ ଯାଉଥିବା ବେଳେ କର୍ଣ୍ଣାଟକର ସରକାରୀ ବସ ମାଙ୍ଗାଲୋରରୁ ମାଦିକେରି ଅଭିମୁଖେ ଆସୁଥିଲା । ତେବେ କୌଣସି କାରଣବଶତଃ କାର ଡ୍ରାଇଭର ଭାରସାମ୍ୟ ହରାଇ ବସକୁ ଧକ୍କା ଦେଇଥିଲେ । କାରରେ ରହିଥିବା ସମସ୍ତ ଲୋକ ମାଣ୍ଡ୍ୟା ଜିଲ୍ଲାର ରହିଥିଲେ । ତେବେ ଦୁଇ ଗାଡିର ବେଗ ଅଧିକ ରହିଥିବାରୁ ୬ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ଦୁଇଜଣ ଆହତ ହୋଇଥିବା ବେଳେ ଜଣେ ମାଙ୍ଗାଲୋର ହସ୍ପିଟାଲ ଏବଂ ଅନ୍ୟଜଣେ କେଭିଜି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କୋଡାଗୁ ଏସପି ରାମରାଜନ ଏବଂ ଅତିରିକ୍ତ ଏସପି ସୁନ୍ଦରରଞ୍ଜନ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିବା ସହ ହସ୍ପିଟାଲ ଯାଇ ଆହତଙ୍କ ଅବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ମୋଦିକେରି ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି ।