ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର କର୍ମଚାରୀ ଭବନଠାରେ ରବିବାର ସେସୁରେ କାର୍ଯ୍ୟରତ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ନିଗମ ଯନ୍ତ୍ରୀ ସଂଘର ସମସ୍ତ ସଭ୍ୟମାନଙ୍କୁ ନେଇ ଇଂ ଅକ୍ଷୟ କୁମାର ପାଢ଼ୀଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଗତ ଅଗଷ୍ଟ ୨୪ ତାରିଖରେ ନିଆଯାଇଥିବା ସର୍ବସମ୍ମତ ଚିଠା ଅନୁଯାୟୀ ସଂଘର ସଭାପତି ଶ୍ରୀ ବଳରାମ ପ୍ରସାଦ ବସୁ ମଲ୍ଲିକ କୌଣସି ପଦକ୍ଷେପ ନନେଇ ଏକଚାଟିଆ ନିଷ୍ପତ୍ତି ନେବା ଓ ନିଜସ୍ୱ ନିଷ୍ପତ୍ତି ଅନୁସାରେ ସେସୁ ମେମ୍ବର ମାନଙ୍କର ମତାମତକୁ ସମ୍ମାନ ନଦେଇ ସେସୁରେ ଏକ ଅଚଳାବସ୍ଥା ସୃଷ୍ଟି କରିବା ସର୍ବୋପରି ଡିପ୍ଲୋମା ଇଞ୍ଜିନିୟରଙ୍କ ସ୍ୱାର୍ଥକୁ ଅଣଦେଖା କରିବାରୁ ସମସ୍ତ ସଭ୍ୟ ଅସନ୍ତୁଷ୍ଟ ହୋଇ ଆଜିର ବୈଠକରେ ସର୍ବ ସମ୍ମତି କ୍ରମେ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ନିଗମ ଯନ୍ତ୍ରୀ ସଂଘର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।ଏ ନେଇ ଇସ୍ତଫା ପତ୍ର ସଂଘର ସଭାପତି ବସୁ ମଲ୍ଲିକଙ୍କୁ ପଠାଇଥିବା ଜଣାଯାଇଛି।
ସେହିପରି ସେସୁରେ କାର୍ଯ୍ୟରତ ଡିପ୍ଲୋମା ଇଞ୍ଜିନିୟରମାନେ ଏକ ମନ ହୋଇ ସାମୂହିକ ଭାବେ ଗୋଟିଏ ଛାତ ତଳେ କାମ କରିବା ଓ ସେସୁରେ ଏକ ମାତ୍ର ଡିପ୍ଲୋମା ଇଞ୍ଜିନିୟର ସଂଘ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇ ଇସ୍ତଫା ଦେଇଥିବା ସମସ୍ତ କର୍ମକର୍ତ୍ତା ଓ ସଭ୍ୟ ଓଡ଼ିଶା ଇଲେକ୍ଟ୍ରିକାଲ ଇଞ୍ଜିନିୟର୍ସ ଆସୋସିଏସନରେ ସମୂହ ଭାବରେ ଆଜି ଯୋଗଦେଇଛନ୍ତି।
ଏହି ମିଶ୍ରଣ ପର୍ବରେ ଓଡ଼ିଶା ଇଲେକ୍ଟ୍ରିକାଲ ଇଞ୍ଜିନିୟର୍ସ ଆସୋସିଏସନ ତରଫରୁ ସଂଘର ସାଧାରଣ ସମ୍ପାଦକ ଶ୍ରୀ ନଳିନୀକାନ୍ତ ବିଶ୍ୱାଳ, କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରମୋଦ କୁମାର ସେଠୀ, ଯୁଗ୍ମ ସମ୍ପାଦକ ଶ୍ରୀ ଭବାନୀ ଶଙ୍କର ଦାସ, କୋଷାଧ୍ୟକ୍ଷ ଶୁଭ୍ରାଂଶୁ ଶେଖର ବାରିକ ପ୍ରମୁଖ ଯୋଗଦେଇ ସଭ୍ୟମାନଙ୍କୁ ସ୍ୱାଗତ କରିଥିଲେ। ଏହି କ୍ରମରେ ଆସନ୍ତା ଡିସେମ୍ବର ୮ତାରିଖରେ ସଂଘର ବାର୍ଷିକ ସାଧାରଣ ପରିଷଦ ବୈଠକ କଟକଠାରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଥିଲା ଓ ସମସ୍ତ ସଭ୍ୟମାନଙ୍କୁ ଯୋଗଦେବାକୁ ସାଧାରଣ ସମ୍ପାଦକ ଶ୍ରୀ ବିଶ୍ୱାଳ ଅନୁରୋଧ କରିଛନ୍ତି।