ସିଜିଟି ଉପରୁ ଉଠିଲା ସରଚାର୍ଜ

ପାନାଜି,ଏଜେନ୍ସି: ଭାରତ ପ୍ରତି ନିବେଶକମାନଙ୍କୁ ଅଧିକ ଆକୃଷ୍ଟ କରିବା ଏବଂ ବ୍ୟବସାୟୀମାନଙ୍କର ବ୍ୟବସାୟକୁ ଆହୁରି ସହଜ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଅନେକ ନିୟମରେ ପରିବର୍ତ୍ତନ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସର୍ବପ୍ରଥମେ କର୍ପୋରେଟ୍ ଟିକସକୁ ହ୍ରାସ କରିବା ସମ୍ବନ୍ଧରେ ଘୋଷଣା କରିବା ସହିତ ଶେୟାର ବଜାରରେ ନିବେଶ କରୁଥିବା ନିବେଶକମାନଙ୍କୁ ଆଶ୍ୱସ୍ତି ଦେବାକୁ ଯାଇ କ୍ୟାପିଟାଲ୍ ଗେନ୍ସ ଟ୍ୟାକ୍ସ ବା ପୁଞ୍ଜିଗତ ଲାଭାଂଶ ଟିକସ ଉପରେ ଲାଗୁଥିବା ସରଚାର୍ଜକୁ ପ୍ରତ୍ୟାହାର କରିନେଇଛନ୍ତି। ୨୦୧୯ ସାଧାରଣ ବଜେଟ୍‌ରେ କେନ୍ଦ୍ର ସରକାରଙ୍କ ତରଫରୁ କ୍ଷୁଦ୍ର ଅବଧି ଏବଂ ଦୀର୍ଘ ଅବଧିର ପୁଞ୍ଜିଗତ ଲାଭାଂଶ ଉପରେ ଟିକସ ଲାଗୁ କରିବା ନେଇ ଘୋଷଣା କରାଯାଇଥିଲା। ବଜେଟରେ ୧୦% ଟିକସ ଲାଗୁ କରିବାର ପ୍ରାବଧାନ କରାଯାଇଥିଲା। ମାତ୍ର ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ବ୍ୟବସାୟୀଙ୍କ ମହଲରେ ସେତେଟା ଭଲ ପ୍ରତିକ୍ରିୟା ପ୍ରକାଶ ପାଇନଥିଲା। ଯାହାଫଳରେ ବର୍ତ୍ତମାନ ଏହାକୁ ପ୍ରତ୍ୟାହୃତ କରାଯାଇଛି। ଏହା ‘ସୁପର୍ ରିଚ୍’ ଟିକସ ନାଁରେ ଜଣାଯାଉଥିଲା।

କ୍ୟାପିଟାଲ୍ ଗେନ୍ସ ଟିକସ କ’ଣ?
ଶେୟାର ବଜାରରେ ପୁଞ୍ଜି ବିକ୍ରି କରିବା ପରେ ସେଥିରୁ ମିଳୁଥିବା ଲାଭରାଶି ଉପରେ ଯେଉଁ ଚାର୍ଜ ଲାଗୁ ହୁଏ, ତାହାକୁ କ୍ୟାପିଟାଲ୍ ଗେନ୍ସ ଟ୍ୟାକ୍ସ ବା ପୁଞ୍ଜିଗତ ଲାଭାଂଶ ଟିକସ ବୋଲି କୁହାଯାଏ। ଏହି ଟିକସ ଦାର୍ଘ ଅବଧି ଏବଂ କ୍ଷୁଦ୍ର ଅବଧି ଆଦି ଦୁଇ ପ୍ରକାରର ହୋଇଥାଏ। ୩ ବର୍ଷରୁ କମ୍ ସମୟ ମଧ୍ୟରେ ବିକ୍ରି ହେଉଥିବା ମୂଲ୍ୟ ଉପରେ ମିଳୁଥିବା ଲାଭକୁ କ୍ଷୁଦ୍ର ଅବଧି ଏବଂ ୩ ବର୍ଷରୁ ଅଧିକ ସମୟ ପରେ ବିକ୍ରି ହେଉଥିବା ସମ୍ପତ୍ତି ଉପରେ ମିଳୁଥିବା ଲାଭକୁ ଦୀର୍ଘ ଅବଧି ବୋଲି କୁହାଯାଏ।