‘ସେରା ନର୍ସିହ୍ମା ରେଡ୍ଡି’ର ପୋଷ୍ଟର୍ ରିଲିଜ୍

ଭୁବନେଶ୍ୱର, ଏନ୍ଏନ୍ଏସ୍ : ବିଗ ବି ଅମିତାଭ ବଚ୍ଚନ ଏବଂ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ମେଗାଷ୍ଟାର ଚିରଞ୍ଜିବୀ ଷ୍ଟାରର ଫିଲ୍ମ ‘ସେରା ନରସିହ୍ମା ରେଡ୍ଡି’ର ପୋଷ୍ଟର ରିଲିଜ ହୋଇଛି। ବୁଧବାର ଏ ଫିଲ୍ମର ଟ୍ରେଲର ଆସିବ ବୋଲି ଜଣାପଡ଼ିଛି। ଅକ୍ଟୋବର ୨ରେ ପ୍ରେକ୍ଷାଳୟକୁ ଆସିବ ‘ସେରା ନରସିହ୍ମା ରେଡ୍ଡି’। ମିଡିଆ ରିପୋର୍ଟ ଅନୁସାରେ ଏ ଫିଲ୍ମର ନିର୍ମାତା ଫିଲ୍ମଟିକୁ ବର୍ତ୍ତମାନ ସୁଦ୍ଧା ସବୁଠୁ ବଡ଼ ପ୍ରୋଜେକ୍ଟ ଭାବେ ଉପସ୍ଥାପିତ କରିବାକୁ ଚାହୁଁଛନ୍ତି। ଏହି କାରଣରୁ ସେମାନେ ଫିଲ୍ମର ବଜେଟ, ଟେକନିକ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଆଦୌ ସାଲିସ କରିନାହାନ୍ତି। ପୁଣି ଫିଲ୍ମଟିକୁ ଏକ ମାଇଲଖୁଣ୍ଟ କରିବାକୁ ଯାଇ ମହାନାୟକ ଅମିତାଭ ବଚ୍ଚନ, ସାଉଥ ସୁପରଷ୍ଟାର ଚିରଞ୍ଜିବୀଙ୍କ ଭଳି ଦାମୀ ଅଭିନେତାଙ୍କୁ ନେଇଛନ୍ତି। ଫିଲ୍ମର ସୁଟିଂ ପାଇଁ ମଧ୍ୟ ବିରାଟ ସେଟ ଲଗାଯାଇଥିଲା। ପୋଷ୍ଟର ରିଲିଜ ହେବା ପରେ ଟ୍ରେଲର ଏବଂ ଶେଷରେ ଫିଲ୍ମ ରିଲିଜକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ନାହିଁ ନଥିବା ଉତ୍କଣ୍ଠା ଦେଖିବାକୁ ମିଳୁଛି।

ବୁଧବାର ଅର୍ଥାତ ସେପ୍ଟେମ୍ବର ୧୮ରେ ଫିଲ୍ମର ଟ୍ରେଲର ଆସିବ ବୋଲି ପ୍ରଡକ୍ସନ ହାଉସ ପକ୍ଷରୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି। ରିଲିଜ ହୋଇଥିବା ପୋଷ୍ଟରରେ ଅମିତାଭ ବଚ୍ଚନ ଏବଂ ଚିରଞ୍ଜିବୀଙ୍କ ଲୁକକୁ ବେଶ ପସନ୍ଦ କରିଛନ୍ତି ସିନେପ୍ରେମୀ। ଚିରଞ୍ଜିବୀଙ୍କ ପୁଅ ରାମଶରନ ଏ ଫିଲ୍ମର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି। ‘ସେରା ନରସିହ୍ମା ରେଡ୍ଡି’ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ପ୍ରସ୍ତୁତ କରାଯାଇଛି। ଏହା ଏକ ପିରିୟଡ ଫିଲ୍ମ। ୧୮ଶ ଶତାବ୍ଦୀର ବୀର ଯୋଦ୍ଧା ସ୍ୱାଧୀନତା ସଂଗ୍ରାମୀ ଓୟାଲ୍ଲୱାଡା ନରସିହ୍ମା ରେଡ୍ଡିଙ୍କ ଜୀବନ କାହାଣୀକୁ ଏଥିରେ ଦେଖିବାକୁ ମିଳିବ, ଯିଏ ୧୮୪୬ ମସିହାରେ ଇଂରେଜଙ୍କ ବିରୁଦ୍ଧରେ ଲଢ଼ିବା ପାଇଁ ଆହ୍ୱାନ ଦେଇଥିଲେ। ବିଶ୍ୱାସ କରାଯାଏ, ୧୮୫୭ ରେ ଇଂରେଜଙ୍କ ବିରୁଦ୍ଧରେ ଯେଉଁ ପ୍ରଥମ ଲଢ଼େଇ ହୋଇଥିଲା, ତାହା ପୂର୍ବରୁ ସେରା ନରସିହ୍ମା ବ୍ରିଟିଶଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲେ।