ବରିଷ୍ଠ ବୈଜ୍ଞାନିକ ହରେକୃଷ୍ଣ ପ୍ରଧାନଙ୍କ ପରଲୋକ

ଫୁଲବାଣୀ,ଖଜୁରିପଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ସଦରମହକୁମାସ୍ଥିତ ନୂଆସାହି ବାସିନ୍ଦା ତଥା ବରିଷ୍ଠ ବୈଜ୍ଞାନିକ ଡ଼ା.ହରେକୃଷ୍ଣ ପ୍ରଧାନ(୭୭)ଙ୍କ ଆଜି ପରଲୋକ ହୋଇଛି। ସୂଚନା ଅନୁସାରେ, ଭୁବନେଶ୍ୱରସ୍ଥିତ ଗାଡ଼କଣା ବାସଭବନରେ ଗତକାଲି ସେ ହଠାତ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଏକ ଘରୋଇ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସତ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି।

ଡ଼ା. ପ୍ରଧାନ ଖଜୁରିପଡ଼ାରେ ସ୍କୁଲ ଓ ଫୁଲବାଣୀରେ କଲେଜ ପଢିଥିଲେ। ଏହାପରେ ସେ ଭୁବନେଶ୍ୱର ଓୟୁଏଟି, ଉତ୍ତରପ୍ରଦେଶରେ ବରେଲିରେ ପିଜି ଓ ଭୋପାଳ କୃଷି ଗବେଷଣାରେ ପିଏଚଡି କରିଥିଲେ। ସ୍ୱର୍ଗତ ପ୍ରଧାନ ଜଣେ ପଶୁପକ୍ଷୀ ଚିକିତ୍ସା ବିଜ୍ଞାନରେ ବେଶ୍ ଖ୍ୟାତି ଅର୍ଜନ କରି ବିଦେଶରେ ବିଭିନ୍ନ ଔଷଧ ଓ ଟିକା ଉପରେ ଗବେଷଣା କରିଥିଲେ। ଦେଶରେ ସଂକ୍ରମଣ ହୋଇଥିବା ବାର୍ଡ ଫ୍ଲ୍ୟୁ ସମୟରେ ତାଙ୍କର ଗବେଷଣା ବହୁମୂଲ୍ୟ ସାବ୍ୟସ୍ତ ହୋଇଥିଲା। ଚଳିତବର୍ଷ କରୋନା ଭୂତାଣୁ କାୟା ବିସ୍ତାର କରିବା ଆରମ୍ଭ ସମୟରେ ସେ ବିଭିନ୍ନ ଗଣମାଧ୍ୟମରେ ଏହାର ନିରାକରଣ ପାଇଁ ପରାମର୍ଶ ଦେଇଥିଲେ। ଡ଼ାକ୍ତର ପ୍ରଧାନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶଦାତା ଭାବେ ୫ ବର୍ଷ ଦାୟିତ୍ୱ ତୁଲାଇଥିଲେ।