କୋରାପୁଟ,ଏନ୍ଏନ୍ଏସ୍: ବାତ୍ୟା ଗୁଲାବ୍ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲ୍ଲାରେ ୬୮୦.୯ମିମି ବର୍ଷା ହୋଇଥିବାବେଳେ ପଟ୍ଟାଙ୍ଗୀ ବ୍ଲକରେ ସର୍ବାଧିକ ୧୪୮ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ପ୍ରବଳ ବର୍ଷା ଯୋଗୁ ପଟ୍ଟାଙ୍ଗୀ ବ୍ଲକର ୨୬ନଂ ଜାତୀୟ ରାଜପଥ କଡ଼ରେ ଥିବା ରାଲାଗାଡ଼ା ଓ ଅନ୍ୟ ୨ଟି ସ୍ଥାନରେ ମାଟି ଅତଡ଼ା ଖସିବା ଏବଂ ବିରାଟ ଗଛ ପଡ଼ିବା ଯୋଗୁ ସେମିଲିଗୁଡ଼ା-ବିଶାଖାପାଟଣା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେହି ରାସ୍ତା ଦେଇ ଯାଉଥିବା ସମସ୍ତ ଯାତ୍ରୀବାହୀ ବସ୍ ଓ ଅନ୍ୟାନ୍ୟ ଗାଡ଼ି ରାସ୍ତାରେ ଅଟକି ରହିଛି। କୋରାପୁଟ, ସୁନାବେଡ଼ା ଓ ଦାମନଯୋଡ଼ିରୁ ବିଶାଖାପାଟଣା ଯିବାକୁ ଥିବା ଲୋକ ନନ୍ଦପୁର-ପାଡୁଆ-ଆରକୁ ଦେଇ ଯିବାକୁ ପରାମର୍ଶ ଦିଆଯାଉଛି। ପଟ୍ଟାଙ୍ଗୀ ତହସିଲଦାର ହରିପଦ ମଣ୍ଡଳ ଓଡ୍ରାଫ୍ ଓ ଏନଡିଆରଏଫ୍ ଟିମ୍ ନେଇ ଜାତୀୟ ରାଜପଥ ଉପରୁ ମାଟି, ପଥର ଓ ଗଛ ବାହାର କରୁଥିବାବେଳେ ଜିଲ୍ଲାପାଳ ଅବଦ୍ଦାଲ୍ ଏମ୍ ଅଖତାର୍ ଗସ୍ତ କରି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି।