‘ଏଭଳି ସେଲଫି କେହି ଦେଖିଛନ୍ତି?’

ହୋଷ୍ଟନ୍: ରବିବାର ଯୁକ୍ତରାଷ୍ଟ୍ର ଆମେରିକାର ହୋଷ୍ଟନ୍ ରେ ଆୟୋଜିତ ‘ହାଓଡି ମୋଦୀ’ କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଙ୍କ ସହିତ କିଛି ଯୁବ କଳାକାର ଆଲୋଚନାରତ ଥିବା ବେଳେ ଜଣେ ବାଳକ ଦୁଇ ନେତାଙ୍କ ସହିତ ସେଲଫି ଉଠାଇବାର ସୌଭାଗ୍ୟ ଲାଭ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରସାରିତ ଭିଡିଓରେ ଦୁଇ ନେତା ଏକତ୍ର ଚାଲି ଚାଲି କୌଣସି ବିଷୟ ଆଲୋଚନା କରୁଥିବା ସମୟରେ ସେମାନଙ୍କ ନିକଟରେ କିଛି ଯୁବ କଳାକାର ପହଞ୍ଚି ଯାଇଥିଲେ।

ଜଣେ ବାଳକ ଟ୍ରମ୍ପ୍ ଓ ମୋଦୀଙ୍କ ସହ ସେଲଫି ଉଠାଇବାକୁ ଅନୁରୋଧ କରିଥିଲେ। ସୋମବାର ସକାଳେ ଉକ୍ତ ଭିଡିଓ ପ୍ରସାରିତ ହେବାର ଦୁଇ ଘଣ୍ଟା ଭିତରେ ପ୍ରାୟ ୧୯,୦୦୦ ସୋସିଆଲ ଆକାଉଣ୍ଟଧାରୀ ତାହାକୁ ଦେଖିବା ସହ ମନ୍ତବ୍ୟ ଦେଇଛନ୍ତି। ଜଣେ ଆକାଉଣ୍ଟଧାରୀ ସମ୍ପୃକ୍ତ ବାଳକଙ୍କୁ ସୌଭାଗ୍ୟଶାଳୀ ଉଲ୍ଲେଖ କରିଛନ୍ତି। ବିଜେପି ସାଂସଦ ଅନୁରାଗ ଠାକୁର ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଚାଲେଞ୍ଜ୍ କରି ଟୁଇଟ୍ କରିଛନ୍ତି, ‘ଏଭଳି ସେଲଫି କେହି ଦେଖିଛନ୍ତି?’