ବିପୁଳ ବିସ୍ଫୋରକ ଜବତ, ମାଓବାଦୀଙ୍କ ଲିଙ୍କ ସନ୍ଦେହ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଏକ ଗୋଦାମରେ ଚଢାଉ କରି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାକ୍ସ ଫୋର୍ସ (ଏସଟିଏଫ) ବିପୁଳ ପରିମାଣର ବିସ୍ଫୋରକ ଜବତ କରିଛି। ଏଥିସହିତ ଡିଟୋନେଟର ଓ ଜିଲାଟିନ ମଧ୍ୟ ଠାବ କରାଯାଇଛି। ଏହି ଘଟଣାରେ ଏସଟିଏଫ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲା ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ସନ୍ତୋଷପୁର ଅଞ୍ଚଳର ସରୋଜ କୁମାର ପଟ୍ଟନାୟକ (୩୫)। ଏସଟିଏଫ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତକୁ ଜୋରଦାର କରିଛି।

ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଗୋପାଳପୁରରେ ଥିବା ଏକ ଗୋଦାମରେ ବିପୁଳ ପରିମାଣର ବିସ୍ଫୋରକ ମହଜୁଦ ଥିବା ଏସଟିଏଫକୁ ସୂଚନା ମିଳିଥିଲା। ଉକ୍ତ ବିସ୍ଫୋରକ ମାଓବାଦୀଙ୍କୁ ସପ୍ଲାଏ କରାଯାଉଥିବା ନେଇ ଅଭିଯୋଗ ମଧ୍ୟ ଆସିଥିଲା। ଏଭଳି ଗୁଇନ୍ଦା ତଥ୍ୟ ମିଳିବା ପରେ ଏସଟିଏଫର ଏକ ସ୍ୱତନ୍ତ୍ର ଟିମ ଗଞ୍ଜାମ ଯାଇଥିଲା। ସେଠାରେ ଗୋଟିଏ ଦିନ ଛଦ୍ମବେଶରେ ବୁଲି ଗୋଦାମ ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରିଥିଲା। ପରେ ମଙ୍ଗଳବାର ଅପରାହ୍ଣରେ ସ୍ଥାନୀୟ ପୁଲିସ ସହାୟତାରେ ଏସଟିଏଫ ଉକ୍ତ ଗୋଦାମରେ ଚଢାଉ କରିଥିଲା।

ଚଢାଉ ବେଳେ ପୁଲିସ ୧୯୬ କ୍ୟୁଣ୍ଟାଲ ଆମୋନିୟମ ବିସ୍ଫୋରକ, ୩୨ଶହ ଜିଲାଟିନ ଷ୍ଟିକ, ୧୦ ହଜାର ୪୦୬ ଖଣ୍ଡ ଡିଟୋନେଟର ଜବତ ହୋଇଥିଲା। ଚଢଉ ବେଳେ ପୁଲିସ ଜଣକ ହେପାଜତକୁ ନେଇଥିଲା। ପଚରାଉଚରା ବେଳେ ବିସ୍ଫୋରକ ସମ୍ପର୍କରେ ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲା। ଏପରିକି କୌଣସି କାଗଜପତ୍ର ମଧ୍ୟ ଦେଖାଇପାରିନଥିଲେ। ଫଳରେ ପୁଲିସ ତାକୁ ହେପାଜତକୁ ନେଇଥିଲା। ତେବେ ଆମୋନିୟମ ବିସ୍ଫୋରକ ଶିଳ୍ପାନୁଷ୍ଠାନରେ ବ୍ୟବହାର କରାଯାଉଥିବା ବେଳେ ସେଠାରେ କିଏ ଓ କାହିଁକି ରଖିଥିଲା ସେ ନେଇ ପୁଲିସ ଖୋଳତାଡ ଚଳାଇଛି।

ଅପରପକ୍ଷରେ ଗୋଦାମରୁ ବିପୁଳ ପରିମାଣର ବିସ୍ଫୋରକ ମିଳିବା ପଛରେ ମାଓବାଦୀଙ୍କ ହାତ ଥିବା ଏସଟିଏଫ ସନ୍ଦେହ କରୁଛି। ଗିରଫ ଅଭିଯୁକ୍ତ ଜଣକ ପୂର୍ବରୁ ମଧ୍ୟ ବିସ୍ଫୋରକ ରଖିବା ଅଭିଯୋଗରେ ଗିରଫ ହୋଇଥିଲେ। ୨୦୧୬ ସେପ୍ଟେମ୍ବର ୨୨ ତାରିଖରେ ରମ୍ଭା ପୁଲିସ ତାଙ୍କୁ ଗିରଫ କରିଥିଲା। ଜାମିନରେ ଆସିବା ପରେ ସେ ପୁଣି ବିସ୍ଫୋରକ ଗଚ୍ଛିତ ରଖିଥିଲେ। ଅଭିଯୁକ୍ତ ସରୋଜ ଜଣେ ପେଶାଦାର ବିସ୍ଫୋରକ ଡିଲର ହୋଇଥିବାରୁ ଏହା ପଛରେ ମାଓବାଦୀ ଲିଙ୍କ ଥିବା ସନ୍ଦେହ କରାଯାଉଛି। ଏସଟିଏଫ ଏହାକୁ ଗମ୍ଭୀରତାର ସହ ନେଇ ଖୋଳତାଡ ଚଳାଇଛି।

କୁହାଯାଉଛି, ମାଓବାଦୀମାନେ ଶିଳ୍ପ ଆଳରେ ସରୋଜ ସହାୟତାରେ ବିସ୍ଫୋରକ ଗଚ୍ଛିତ ରଖିଥିଲେ। ଆବଶ୍ୟକ ବେଳେ ସେମାନେ ଡିଟୋନେଟର ସହ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ପ୍ରସ୍ତୁତ କରି ବ୍ୟବହାର କରିଥାନ୍ତି। ବର୍ତ୍ତମାନ କେକେବିଏନ ବା କନ୍ଧମାଳ, କଳାହାଣ୍ଡି, ବୌଦ୍ଧ ଓ ନୟାଗଡ଼ ଡିଭିଜନରେ ମାଓବାଦୀମାନେ ସକ୍ରିୟ ଥିବାରୁ ପୁଲିସ ସନ୍ଦେହକୁ ଏହା ଦୃଢୀଭୂତ କରିଛି। ବିଭିନ୍ନ ଦିଗକୁ ଆଧାର କରି ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ସରୋଜକୁ ରିମାଣ୍ଡରେ ନେଇ ତଥ୍ୟ ସଂଗ୍ରହ କରିବାକୁ ଏସଟିଏଫ ଲକ୍ଷ୍ୟ ରଖିଛି।