ଗଣତନ୍ତ୍ର ଦିବସ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ମାଲକାନଗିରି,ଏନ୍ଏନ୍ଏସ୍: ରାତି ପାହିଲେ ଦେଶ ୭୨ତମ ଗଣତନ୍ତ୍ର ଦିବସ ପାଳନ କରିବ। ଏଥିପାଇଁ ମାଲକାନଗିରି ଜିଲ୍ଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିପାଇଁ ଜିଲ୍ଲା ସଦର ମହକୁମାସ୍ଥିତ ଡିଏନକେ ଖେଳ ପଡ଼ିଆଠାରେ ଜିଲ୍ଲାସ୍ତରୀୟ ଗଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ ଆୟୋଜନ ଶେଷ ହୋଇଛି। ଏଥିରେ କ୍ରୀଡ଼ା ଓ ଯୁବ ସେବାମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗ ଦେବାକୁ ଥିବାବେଳେ ସେ ମାଲକାନଗିରିରେ ପହଞ୍ଚିଛନ୍ତି। ଜିଲ୍ଲା ପୁଲିସ ପକ୍ଷରୁ ବିଭିନ୍ନ ମାଓ ଉପଦ୍ରୁତ ଅଞ୍ଚଳରେ ବିଏସଏଫ, ଏସଓଜି, ଡିଭିଏଫ ପକ୍ଷରୁ କୁମ୍ବି ଅପରେସନକୁ ଜୋରଦାର କରଯାଇଥିବା ବେଳେ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ ଓ ଗାଡ଼ି ଯାଞ୍ଚ କରାଯାଉଛି। ସୀମାବର୍ତ୍ତୀ ଅଞ୍ଚଳରେ କଡ଼ା ସୁରକ୍ଷା ରଣନୀତି ଆପଣେଇଥିବା ବେଳେ ଜିଲ୍ଲାରେ କିଭଳି ଶାନ୍ତି ଶୃଙ୍ଖଳାର ସହ ଏହି ଗଣତନ୍ତ୍ର ଦିବସ ପାଳନ ହେବ ସେନେଇ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରତି ବର୍ଷ ଏହି ଦିବସକୁ ମାଓବାଦୀମାନେ କଳା ଦିବସ ରୂପେ ପାଳନ କରିଆସୁଥିବା ବେଳେ କୌଣସି ଅଘଟଣକୁ ଏଡ଼ାଇବା ପାଇଁ ସୁରକ୍ଷାକର୍ମୀମାନେ ପ୍ରସ୍ତୁତ ରହିଛନ୍ତି।