କାଶ୍ମୀରର ସୋପିଆଁରେ ସୁରକ୍ଷାକର୍ମୀ: ଆତଙ୍କବାଦୀ ଏନକାଉଣ୍ଟର; ୨୪ ଘଣ୍ଟାରେ ୯ ଆତଙ୍କବାଦୀ ସଫା

କାଶ୍ମୀର,ଏଜେନ୍ସି: ଜାମ୍ମୁକାଶ୍ମୀରର ସୋପିଆନ ଜିଲ୍ଲାରେ ଗତ କାଲିଠାରୁ ଯବାନ ଓ ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଥିବା ବେଳେ ଆଜି ଏଥିରେ ଆଉ ୪ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏବେ ପିଞ୍ଜୋରାରେ ଏନକାଉଣ୍ଟର ଜାରି ରହିଛି। ନିହତ ଆତଙ୍କବାଦୀମାନେ ହିଜବୁଲ ମୁଜାହିଦ୍ଦିନର ସଦସ୍ୟମାନେ ବୋଲି ଜଣାପଡିଛି। ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ କରାଯାଇ, ଲୋକଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ସୋପିଆନର ପିଞ୍ଜୋରାରେ ଆତଙ୍କବାଦୀ ଲୁଚି ରହିଥିବା ଗୁଇନ୍ଦା ସୂଚନା ମିଳିବା ପରେ ଆଜି ସକାଳୁ ସର୍ଚ୍ଚ ଆପରେସନ ଆରମ୍ଭ କରିଥିଲେ ସେନା।

ସେହିପରି ରବିବାର ସୋପିଆନରେ ୫ ଆତଙ୍କବାଦୀଙ୍କୁ ଭାରତୀୟ ସୁରକ୍ଷାକର୍ମୀ ଏନକାଉଣ୍ଟର କରିଥିଲେ। ନିହତ ସମସ୍ତ ଆତଙ୍କବାଦୀ ହିଜବୁଲ ମୁଜାହିଦ୍ଦିନ ସଂଗଠନର। ରବିବାର ଏନକାଉଣ୍ଟରରେ ହିଜବୁଲର ଟପ କମାଣ୍ଡର ଫାରୁକ ଅହମ୍ମଦ ଭଟ୍ଟ, ସେକଲନ ଅହମ୍ମଦ ବଗର ଓ ସଫୈତ ଅମିନ ନାୟକ ନିହତ ହୋଇଛନ୍ତି। ମୃତ ଅନ୍ୟ ଦୁଇ ଆତଙ୍କବାଦୀଙ୍କ ପରିଚୟ ଜଣାପଡି ନାହିଁ। ହିଜବୁଲ କମାଣ୍ଡର ଫାରୁକ ଅହମ୍ମଦ ଏପ୍ଲସ ପ୍ଲସ କ୍ୟାଟାଗୋରୀ ଆତଙ୍କବାଦୀ ଥିଲା। ଦୀର୍ଘଦିନରୁ ଫାରୁକ ଭାରତୀୟ ସୁରକ୍ଷାକର୍ମୀଙ୍କ ମୋଷ୍ଟ ୱାଂଟେଡ ଲିଷ୍ଟରେ ରହିଥିଲା।