ପୁଲୱାମାରେ ସୁରକ୍ଷା ବାହିନୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ, ୨ ଆତଙ୍କବାଦୀ ନିହତ

ଶ୍ରୀନଗର,ଏଜେନ୍ସି: ପୁଣି ଥରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀର ଯବାନମାନେ ଗୁଳିବିନିମୟ କରିଛନ୍ତି। ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାର ଟିକେନ ଅଞ୍ଚଳରେ ଏହି ଗୁଳିବିନିମୟ ହୋଇ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାଯାଇଛି । ଘଟଣାସ୍ଥଳରୁ ବନ୍ଧୁକ, ଗୁଳି ଓ ଅନ୍ୟ ସାମଗ୍ରୀ ଜବତ ହୋଇଛି ।

ଟିକେନ ଅଞ୍ଚଳରେ ଆତଙ୍କବାଦୀମାନେ ଚଳପ୍ରଚଳ କରୁଥିବା ନେଇ ସେନାର ଯବାନମାନଙ୍କୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହା ପରେ ସେନା ଓ ଜାମ୍ମୁ କାଶ୍ମୀର ପୁଲିସର ଯବାନମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଯବାନଙ୍କୁ ଦେଖି ଆତଙ୍କବାଦୀମାନେ ଭୟଭୀତ ହୋଇ ଗୁଳି ଚାଳନା କରିଥିଲେ। ପରେ ସୁରକ୍ଷା ବାହିନୀ ପ୍ରତି ଉତ୍ତରରେ ପାଲଟା ଗୁଳିଚାଳନା କରିଥିଲା। ଏଥିରେ ୨ ଜଣ ଆତଙ୍କ ବାଦୀ ନିହତ ହୋଇଛନ୍ତି। ବର୍ତ୍ତମାନ ପୁଲିସ ଉକ୍ତ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଜାରି ରଖିଛି।