ଜୁଲାଇ ୧୫ ପର୍ଯ୍ୟନ୍ତ ମୁମ୍ବାଇ ସହରରେ ୧୪୪ ଧାରା ଜାରି

ନୂଆଦିଲ୍ଲୀ: ମୁମ୍ବାଇ ସହରରେ ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଆଜିଠାରୁ ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି। ସାର୍ବଜନିକ ଓ ଧାର୍ମିକ ସ୍ଥଳରେ ମଧ୍ୟ ଏହି ଧାରା ଲାଗୁ କରାଯିବ ବୋଲି ଜଣାପଡ଼ିଛି।

ବରିଷ୍ଠ ପୁଲିସ ଅଧିକାରୀ ଜାରି କରିଥିବା ଗାଇଡଲାଇନ ଅନୁସାରେ, ଅନାବଶ୍ୟକ କାମ ଲାଗି ଲୋକଙ୍କ ଯାତାୟତକୁ ଜୁଲାଇ ୧୫ ପର୍ଯ୍ୟନ୍ତ ବନ୍ଦ ରଖାଯିବ। କଣ୍ଟେନମେଣ୍ଟ ଜୋନରେ ଭିଡ଼ ଜମା ହେବନାହିଁ । ଯଦି ଜରୁରୀ ସାମଗ୍ରୀର ଆବଶ୍ୟକ ପଡ଼େ ତେବେ ଜଣେ ନିଜ ଘରଠୁ ୨କିମି ପର୍ଯ୍ୟନ୍ତ ଯାଇ ଜିନିଷ କିଣିପାରିବ। କିନ୍ତୁ ଏହି ସମୟରେ ମିଡିଆ, ଆଇଟି, ବ୍ୟାଙ୍କ ସହ ଅନ୍ୟାନ୍ୟ ଜରୁରୀ ସେବା ସହ ଜଡ଼ିତ ଲୋକଙ୍କୁ ଯା’ଆସର ଅନୁମତି ଦିଆଯିବ।

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୭୪ ହଜାର ୭୬୧ ହୋଇଥିବାବେଳେ ୭, ୬୧୦ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ୮୮ ହଜାର ୯୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ କରୋନାରେ ମହାରାଷ୍ଟ୍ର ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ବେଳେ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଠାରେ ଜୁଲାଇ ୩୧ ପର୍ଯ୍ୟନ୍ତ ଲକଡାଉନ ବଢ଼ାଯାଇଛି।