ଝାରସୁଗୁଡା,ଏନ୍ଏନ୍ଏସ୍: ଏମସିଏଲରେ ନିଯୁକ୍ତି ଓ କ୍ଷତିପୂରଣ ଦାବିରେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ କିରାରମା ଗ୍ରାମର ଦିଲ୍ଲୀପ କୁମାର ସିଂଦେଓଙ୍କ ପରିବାରର ଆରମ୍ଭ କରିଥିବା ଆମରଣ ଅନଶନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ମଙ୍ଗଳବାର ସକାଳୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିଲ୍ଲୀପ ସିଂଦେଓ, ପତ୍ନୀ ସୁଜାତା ସିଂଦେଓ, ପୁଅ ଶୋଭନ ସିଂଦେଓ, ଝିଅ ରାଜ ଲକ୍ଷ୍ଣୀ ସିଂଦେଓ, ମା ତୁଲାମଣି ସିଂଦେଓ ଓ ମାଉସୀ ବିନୋଦିନୀ ସିଂ ଦେଓ ଅନଶନରେ ବସିଛନ୍ତି। ସେମାନେ କହିଛନ୍ତି ଲଖନପୁର ତହସିଲ କିରାରମା ମୌଜା ଖାତା ନମ୍ବର ୧୧୦ ଓ ୬୫ରୁ ୧୯୮୪ ମସିହାରେ ୨୯ ଏକର ୧୦ ଡେସିମିଲ ଜମି ମହାନଦୀ କୋଲ୍ଡ ଫିଲ୍ଡ ଲିମିଟେଡ(ଏମସିଏଲ) ଅଧିଗ୍ରହଣ କରିଥିଲା। ସେ ସମୟରେ ଜମି ହରାଇଥିବା ପ୍ରତ୍ୟେକ ଲୋକଙ୍କୁ ଚାକିରି ପ୍ରଦାନ କରାଯାଇଥିଲା। ହେଲେ ଦିଲ୍ଲୀପଙ୍କ ପରିବାରକୁ ଆଜି ଯାଏଁ ଚାକିରି ପ୍ରଦାନ କରାଯାଇ ନାହିଁ। ବାରମ୍ବାର ଏମସିଏଲ ନିକଟରେ ଦରଖାସ୍ତ ପରେ ମଧ୍ୟ କୌଣସି ସୁଫଳ ମିଳ ନଥିବାରୁ ସେମାନେ ବାଧ୍ୟ ହୋଇ ଅନଶନ ଆରମ୍ଭ କରିଛନ୍ତି। ଏମସିଏଲ ନିଯୁକ୍ତି ନଚେତ ନୂତନ ନିୟମ ଅନୁସରେ କ୍ଷତିପୂରଣ ରାଶି ପ୍ରଦାନ ନ କରିବା ଯାଏଁ ସେମାନେ ଅନଶନରୁ ଓହରିବେ ନାହିଁ ବୋଲି କହିଛନ୍ତି।