ମୁଖ୍ୟ ଚିକିତ୍ସାଳୟ ପରିସରରେ ନୂତନ ଆହାର କେନ୍ଦ୍ର ଉଦଘାଟନ

ମାଲକାନଗିରି,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ପରିସରରେ ନୂତନ ଆହାର କେନ୍ଦ୍ର ଆଜି ଉଦଘାଟିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢି ଯୋଗ ଦେଇ ଆନୁଷ୍ଟାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି, ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ଡଃ.ଅଜୟ କୁମାର ବୈଠାରୁ, ପୌର ପରିଷଦ ନିର୍ବାହୀ ଅଧିକାରୀ ଏମ୍. ନିଳକଣ୍ଠ ନାଇଡୁ ପ୍ରମୁଖ ଯୋଗ ଦେଇ ଆହାର କେନ୍ଦ୍ରରେ ଟିକେଟ କାଟି ଭୋଜନ କରିଥିଲେ।

ପୂର୍ବରୁ ମାଲକାନଗିରି ପୌର ପରିଷଦର ବସଷ୍ଟାଣ୍ଡ ପରିସରରେ ଗୋଟିଏ ଆହାର କେନ୍ଦ୍ର ଥିବା ବେଳେ ଆଜି ମୁଖ୍ୟ ଚକିତ୍ସାଳୟରେ ଦ୍ୱିତୀୟ ଆହାର କେନ୍ଦ୍ର ଆରମ୍ଭ ହୋଇ ଯାଇଛି। ତେବେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ବହୁ ରୋଗୀ ଓ ତାଙ୍କ ସମ୍ପର୍କୀୟ ଆସୁଥିବାରୁ ସେମାନଙ୍କ ସୁବିଧା ନିମନ୍ତେ ଏହି ଆହାର କେନ୍ଦ୍ର ଉଦଘାଟନ କରିଥିବା ଶ୍ରୀ ନାଇଡୁ ପ୍ରକାଶ କରିଛନ୍ତି। ଦୈନିକ ମଧ୍ୟାହ୍ନ ଭୋଜନରେ ୨୫୦ ଓ ରାତ୍ର ଭୋଜନରେ ୧୫୦ ଜଣଙ୍କ ନିମନ୍ତେ ଭୋଜନ ପ୍ରସ୍ତୁତ କରା ଯିବାକୁ ଥିବା ବେଳେ ଏହି ଆହାର କେନ୍ଦ୍ରକୁ ସରସ୍ୱତୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ପରିଚାଳନା କରିବେ।