ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଆସନ୍ତା ୧୭ ତାରିଖରେ ପଡୁଥିବା ବେଳେ ଦେଶବ୍ୟାପୀ ବିଜେପି କାର୍ଯ୍ୟକର୍ତ୍ତାମାନେ ସୋମବାରଠାରୁ ସେବା ସପ୍ତାହ ପାଳନ କରିଛନ୍ତି। ଏହି ସେବା ସପ୍ତାହରେ ବିଜେପି କାର୍ଯ୍ୟକର୍ତ୍ତାମାନେ ବିଭିନ୍ନ ପ୍ରକାରର ସେବା କାର୍ଯ୍ୟମାନ କରି ମାନନୀୟ ପ୍ରଧାନମନ୍ତ୍ରୀଙ୍କର ନିରାମୟ ଓ ଦୀର୍ଘଜୀବନ କାମନା କରିଥାନ୍ତି। ଏହିକ୍ରମରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁରୋଧକ୍ରମେ ସପ୍ତାହବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ସେବା ସପ୍ତାହ କାର୍ଯ୍ୟକ୍ରମରେ ଦଳର ସମସ୍ତ ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ, ସମସ୍ତ ନିର୍ବାଚିତ ଜନ ପ୍ରତିନିଧିମାନଙ୍କ ସହ ଦଳର ସମସ୍ତ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତାମାନେ କୋଭିଡ୍-୧୯ ନୀତିନିୟମକୁ ପାଳନ ସହ ଯୋଗଦାନ କରୁଛନ୍ତି।
ସେବା ସପ୍ତାହର ଆଜି ପ୍ରଥମ ଦିନରେ କାର୍ଯ୍ୟକର୍ତ୍ତାମାନେ ନିଜ ନିଜ ପ୍ରତ୍ୟେକ ବୁଥ୍ରେ ୭୦ଟି ଲେଖାଏଁ ବୃକ୍ଷରୋପଣ କରିବା ସହ ପର୍ଯ୍ୟାବରଣର ସୁରକ୍ଷା ପାଇଁ ସଂକଳ୍ପ ନେଇଛନ୍ତି। ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ରାଜ୍ୟ ସମ୍ପାଦକ କାଳିନ୍ଦୀ ସାମଲ, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାଶ, କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ମହେଶ୍ୱର ସାହୁ, ସୁରଥ ବିଶ୍ୱାଳ, ପବିତ୍ର ଦାଶଙ୍କ ସମେତ ପ୍ରମୁଖ ରାଜ୍ୟ ନେତୃବୃନ୍ଦ, ଜିଲ୍ଲା ସଭାପତି ଏବଂ କାର୍ଯ୍ୟକର୍ତ୍ତାମାନେ ଏହି ଅବସରରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।