ମୌସୁମୀ ଅଧିବେଶନ ଜାରି; ଜନ୍ତର-ମନ୍ତରରେ ଆଜି ଧାରଣା, ସାମିଲ ହେବେ ୨୦୦ ଚାଷୀ ନେତା

ନୂଆଦିଲ୍ଲୀ,ଏଜେନ୍ସି: ସଂସଦର ମୌସୁମୀ ଅଧିବେଶନ ଗତ ୧୯ ତାରିଖ ଠାରୁ ଜାରି ରହିଛି। ଏକାଧିକ ଦାବି ନେଇ ଆଜି ଚାଷୀମାନେ ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀର ଜନ୍ତର-ମନ୍ତରରେ ଧାରଣା ଦେବେ। ଦେଶର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୨୦୦ ଚାଷୀ ଧାରଣାସ୍ଥଳକୁ ପହଞ୍ଚିବେ। ଚାଷୀମାନେ ନିଜର ଦାବିକୁ ନେଇ ସ୍ୱର ଉଠାଇବେ। କୌଣସି ଅପ୍ରିତିକର ଘଟଣା ନଘଟିବା ପାଇଁ ଦିଲ୍ଲୀ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବୁଧବାର ହୋଇଥିବା ୩ୟ ପର୍ଯ୍ୟାୟର ବୈଠକ ପରେ ୨୦୦ ଚାଷୀ ଜନ୍ତର-ମନ୍ତରରେ ଚାଷୀ ବୈଠକ ଆୟୋଜନ କରିବାକୁ ଅନୁମତି ମିଳିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଉଲ୍ଲଂଘନ ନହେଉ, ଏହାକୁ ଦୃଷ୍ଟିରେ ରଖି ଏକ ରାସ୍ତା ବାହାର କରାଯାଇଛି।

ସଂଯୁକ୍ତ କିଷାନ ମୋର୍ଚ୍ଚାରେ ଦେଶବ୍ୟାପୀ ପାଖାପାଖି ୪୦ଟି ଚାଷୀ ସଂଗଠନ ପରିଚାଳିତ ହେଉଛି। ଏଥିରେ ଏକ ଗୋଷ୍ଠୀର ସଦସ୍ୟଙ୍କୁ ଅନୁମତି ଦେବା ବଦଳରେ ଭିନ୍ନ ଭିନ୍ନ ସଂଗଠନର ଚାଷୀ ଆନ୍ଦୋଳନକାରୀଙ୍କୁ ଅନୁମତି ଦିଆଯାଇଛି। ପ୍ରତ୍ୟେକ ସଂଗଠନର ୫-୫ ଜଣ ସଦସ୍ୟ ଆନ୍ଦୋଳନକୁ ଓହ୍ଲାଇବେ। ଏମାନେ ସମସ୍ତେ ଗୁରୁବାର ସିଂଘୁ ସୀମାରେ ଏକତ୍ର ହେବେ। ଏଠାରୁ ପୁଲିସ ୫-୬ ଜଣଙ୍କୁ ବସାଇ ଏସ୍କଟ କରି ଜନ୍ତର-ମନ୍ତରକୁ ଆଣିବ। ସେହିପରି ଟିକରୀ ଓ ଘାଜିପୁର ସୀମାରେ ପ୍ରଦର୍ଶନ କରୁଥିବା ଚାଷୀ ସଂଗଠନର ପ୍ରତିନିଧିଙ୍କୁ ମଧ୍ୟ ଦିଲ୍ଲୀ ଯିବା ପାଇଁ ସିଂଘୁ ସୀମାକୁ ପହଞ୍ଚିବାକୁ ପଡ଼ିବ।