ନୂଆ ବିମାନବନ୍ଦର ପାଇଁ ଚାଲିଛି ଜାଗା ଖୋଜା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ବିମାନ ବନ୍ଦର ସମ୍ପସାରଣ ପାଇଁ ଜାଗା ଖୋଜା ଜାରି ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ବିମାନ ବନ୍ଦର ତିଆରି ପାଇଁ ତିନୋଟି ସ୍ଥାନ ବଛାଯାଇଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ହୋଇପାରି ନାହିଁ। ଫଳରେ ଚତୁର୍ଥ ସ୍ଥାନ ଚୟନ କରାଯାଉଛି ବୋଲି ବୁଧବାର ରାଜ୍ୟସଭାରେ କେନ୍ଦ୍ର ବେସାମିରକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରି ଏହି ସୂଚନା ଦେଇଛନ୍ତି।

ଭୁବନେଶ୍ୱର ବିମାନ ବନ୍ଦରର ଆଧୁନିକୀକରଣ ଓ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଚଳାଚଳ ନେଇ ରାଜ୍ୟସଭାର ପ୍ରଶ୍ନକାଳରେ ବିଜେଡି ସାଂସଦ ସସ୍ମିତ ପାତ୍ର ପ୍ରଶ୍ନ ଉଠାଇଥିଲେ। ଏହାର ଉତ୍ତରରେ ମନ୍ତ୍ରୀ ଶ୍ରୀ ପୁରି ଉପରୋକ୍ତ ଉତ୍ତର ରଖିବା ସହ ସୂଚନା ଦେଇଛନ୍ତି ଯେ, ସାଧାରଣତଃ ବିମାନବନ୍ଦରର ୧୫୦ କିଲୋମିଟର ପରିଧି ମଧ୍ୟରେ ନୂଆ ଗ୍ରୀନ ଫିଲ୍ଡ୍ ଏୟାରପୋର୍ଟ କରାଯାଏ ନାହିଁ। କିନ୍ତୁ ଭୁବନେଶ୍ୱର ବିମାନବନ୍ଦରରେ ଆବଶ୍ୟକ ସୁବିଧା ସୁଯୋଗ ନଥିବାରୁ ଏନେଇ ବିଚାର କରାଯାଉଛି। ତେବେ ଭୁବନେଶ୍ୱର ବିମାନ ବନ୍ଦରରେ ବିମାନ ସଂଖ୍ୟା ୩୦ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଯାତ୍ରୀଙ୍କ ସଂଖ୍ୟା ୨୫ ପ୍ରତିଶତ ବୃଦ୍ଧି ପାଇଛି। ସେହିପରି କାର୍ଗୋ ମଧ୍ୟ ୨୪ ପ୍ରତିଶତ ବୃଦ୍ଧି ପାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।