ଭୁବନେଶ୍ୱର,ଏନ୍ଏନ୍ଏସ୍: ଚିଟ୍ଫଣ୍ଡର ଆଳରେ କୋଟିକୋଟି ଟଙ୍କା ଲୁଟି ନେଇଥିବା ସି’ଶୋର୍ କମ୍ପାନୀର ଆଉ ୫ କୋଟି ୬୭ ଲକ୍ଷ ଟଙ୍କାର ସମ୍ପତ୍ତିକୁ ଇଡ଼ି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ବାଜ୍ୟାପ୍ତି କରିଛି। ଏହି ସମ୍ପତ୍ତି ମହାରାଷ୍ଟ୍ରର ବ୍ୟବସାୟୀ ଡ. ଦିଲ୍ଲୀପ ଅମୃତଲାଲ୍ ଗୁଢ଼ାକା ଏବଂ ଭୁବନେଶ୍ୱରର ହେରାଲ୍ଡ ଓଭରସିସ୍ ପ୍ରାଇଭେଟ୍ ଲିମିଟେଡ୍ର ଏମ୍ଡ଼ି ମୟୂରେଶ ଦାଶଙ୍କ ନାଁରେ ରହିଛି। ସି’ଶୋର କମ୍ପାନୀ ଏହି ଦୁଇଜଣଙ୍କ ଆକାଉଣ୍ଟକୁ ୫ କୋଟି ୬୭ ଲକ୍ଷ ଟ୍ରାନ୍ସଫର କରିଥିଲା। ପରବର୍ତ୍ତୀ ସମୟରେ ଏମାନେ ଟଙ୍କା ଫେରାଇନଥିଲେ। ତେଣୁ ଏମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିବା ପାଇଁ ନଭେମ୍ବର ୨୬ ତାରିଖରେ ଏକ ଅର୍ଡର ହୋଇଥିଲା। ମନି ଲଣ୍ଡରିଂ ଆଇନ, ୨୦୦୨ ଆଧାରରେ ଉଭୟଙ୍କ ସମ୍ପତ୍ତିକୁ ବାଜ୍ୟାପ୍ତି କରାଯାଇଥିବା ଇଡି ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି। ପୂର୍ବରୁ ସି’ଶୋର୍ର ମୋଟ୍ ୨୫୮କୋଟିର ସ୍ଥାବର ଓ ଅସ୍ଥାବର ସମ୍ପତ୍ତ ବାଜ୍ୟାପ୍ତି ହୋଇଛି।
ସୂଚନା ଅନୁଯାୟୀ, ସି’ ଶୋର କମ୍ପାନୀ ଚିଟ୍ଫଣ୍ଡ ନାଁରେ ଲୋକଙ୍କ ଠାରୁ କୋଟିକୋଟି ଟଙ୍କା ଠକେଇ କରିଥିଲା। ପରେ ରାଜ୍ୟର ବିଭିନ୍ନ ଥାନାରେ ଅଭିଯୋଗ ହୋଇଥିଲା। ଏହାପରେ କ୍ରାଇମବ୍ରାଞ୍ଚର ଇଓଡବ୍ଲୁ (ଅର୍ଥନୈତିକ ଅପରାଧ ଶାଖା) କେସ୍ ନଂ ୩୯/୧୮.୦୭.୨୦୧୨ରେ ଏକ ମାମଲା ରୁଜୁ କରିଥିଲା। ୨୦୧୪ ମାର୍ଚ୍ଚ ୨୨ ତାରିଖରେ ମାମଲାର ଚାର୍ଜସିଟ୍ କୋର୍ଟରେ ଦାଖଲ ହୋଇଥିଲା। ପରେ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ, କୋଲକାତା ଶାଖାରେ ଏକ ମାମଲା ରୁଜୁ ହୋଇଥିଲା। ମାସକ ପରେ ସିବିଆଇ ଭୁବନେଶ୍ୱର ଶାଖା ପକ୍ଷରୁ କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇଥିଲା।
ମାମଲାର ତଦନ୍ତ ଜାରି ରହିଥିବାବେଳେ ସି’ ଶୋର୍ କମ୍ପାନୀର ଆକାଉଣ୍ଟରୁ ଦୁଇଜଣ ବ୍ୟକ୍ତିଙ୍କ ଆକାଉଣ୍ଟକୁ ୫ କୋଟି ୬୭ ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଥିବା ଜଣାପଡ଼ିଥିଲା। ହେଲେ ସମ୍ପୃକ୍ତ ବ୍ୟକ୍ତିମାନେ ସେହି ଟଙ୍କାକୁ ପରେ ଫେରାଇନଥିଲେ। ଏନେଇ ଇଡି ତଦନ୍ତ କରି ଆଟାଚ୍ମେଣ୍ଟ୍ ଅର୍ଡର ୮/୨୦୨୧ରେ ସେମାନଙ୍କୁ ଏକ ନୋଟିସ୍ ଜାରି କରିଥିଲା। ପରେ ସେମାନଙ୍କ ସମ୍ପତ୍ତିକୁ ବାଜ୍ୟାପ୍ତି କରିଦିଆଯାଇଛି।