ବିଶ୍ୱକୁ ବିପଦ ତାପମାତ୍ରା ବୃଦ୍ଧି: ୨୦୫୦ ବେଳକୁ ସମୁଦ୍ରରେ ଲୀନହେବ ମୁମ୍ବାଇ, କୋଲକାତା, ଅସ୍ତରଙ୍ଗ ଓ କାକଟପୁର

ପ୍ରଭାବିତ ହେବେ ବିଶ୍ୱର ୩୦୦ ନିୟୁତ ଲୋକ

ନୂଆଦିଲ୍ଲୀ: ବିଶ୍ୱତାପନ କାରଣରୁ ଆଣ୍ଟାର୍ଟିକାରେ ବରଫ ପାହାଡ଼ ତରଳୁଛି। ଫଳରେ ପ୍ରତିବର୍ଷ ସମୁଦ୍ରର ଜଳପତ୍ତନ ବୃଦ୍ଧି ପାଉଛି। ଏହି ହାର ଅବ୍ୟାହତ ରହିଲେ ୨୦୫୦ ବେଳକୁ ଚୀନ୍, ବାଂଲାଦେଶ, ଭାରତ, ଭିଏତନାମ, ଇଣ୍ଡୋନେସିଆ, ଥାଇଲାଣ୍ଡର ୩୦୦ ନିୟୁତ ଲୋକ କ୍ଷତିଗ୍ରସ୍ତ ହେବେ। ଭାରତର ବହୁ ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ଭାରତର ଅର୍ଥନୈତିକ ରାଜଧାନୀଭାବେ ବିବେଚିତ ମୁମ୍ବାଇ ଓ କୋଲକାତା ସମେତ ଦେଶର ବହୁ ବଡ଼ ବଡ଼ ସହର ସମୁଦ୍ରରେ ଲୀନ ହେବ ଓ ଏକାକୀ ଭାରତର ୩୬ ନିୟୁତ ଲୋକ ବାସଚ୍ୟୁତ ହେବେ ବୋଲି ଆମେରିକାର ନ୍ୟୁଜର୍ସିଭିତ୍ତିକ ‘ସାଇନ୍ସ ଅର୍ଗାନାଇଜେସନ କ୍ଲାଇମେଟ ସେଣ୍ଟ୍ରାଲ’ ନାମକ ଏକ ଗବେଷଣା ସଂସ୍ଥା ତଥ୍ୟ ପ୍ରକାଶ କରିଛି।

ଏହି ସଂସ୍ଥା ନିଜ ରିପୋର୍ଟରେ କହିଛି ଯେ ବର୍ତ୍ତମାନ ବାୟୁମଣ୍ଡଳରେ ଦୈନିକ ଯେତିକି ପରିମାଣର ଅଙ୍ଗାରକାମ୍ଳ ଗ୍ୟାସ ମିଶୁଛି, ତାହାକୁ ଏତିକିବେଳୁ ନିୟନ୍ତ୍ରଣ କରା ନଗଲେ ସମଗ୍ର ବିଶ୍ୱ ଗ୍ୟାସ ଚାମ୍ବର ଭିତରେ ରହିଯିବ। ଗବେଷକମାନେ ନାସା’ର ସଟ୍ଟଲ୍ ରାଡାର୍ ଟପୋଗ୍ରାଫି ମିଶନ୍ ପ୍ରଦତ୍ତ ତଥ୍ୟକୁ ଅଧ୍ୟୟନ କରି ବାସ୍ତବ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ନୂଆ ତଥ୍ୟରୁ ଜଣାପଡ଼ିଛି ଯେ ସମୁଦ୍ରର ଜଳପତ୍ତନ ବୃଦ୍ଧି ପାଇବା ଫଳରେ ଜଳରାଶି ସ୍ଥଳଭାଗକୁ ମାଡ଼ି ଆସିବ। ଏହି କାରଣରୁ ସୃଷ୍ଟି ହେବ ମହାବନ୍ୟା। ଏଥିରେ ୨୦୫୦ ବେଳକୁ ବିଶ୍ୱରେ ପ୍ରାୟ ୩୦୦ ନିୟୁତ ଲୋକ କ୍ଷତିଗ୍ରସ୍ତ ହେବେ।

ଆସନ୍ତା ତିନି ଦଶନ୍ଧି ସୁଦ୍ଧା ଏହି ପ୍ରାକୃତିକ ଦୁର୍ବିପାକ ଭାରତରେ ମଧ୍ୟ ବିପର୍ଯ୍ୟୟ ସୃଷ୍ଟି କରିବ। ଏହି ବିପର୍ଯ୍ୟୟ ପାଇଁ ଭାରତର ୩୧ନିୟୁତ ଲୋକ ଘୋର ସଙ୍କଟରେ ପଡ଼ିବେ ବୋଲି ପୂର୍ବରୁ ଅଟକଳ କରାଯାଇଥିଲା। କିନ୍ତୁ ସାଟେଲାଇଟ ପ୍ରଦତ୍ତ ସୁନିର୍ଦ୍ଦିଷ୍ଟ ତଥ୍ୟ ଅନୁଯାୟୀ ଭାରତର ୩୬ନିୟୁତ ଅଧିବାସୀ ନିଜ ବାସସ୍ଥଳୀ ହରାଇବେ। ଏଥିରେ ଓଡ଼ିଶା ମଧ୍ୟ କ୍ଷତିଗ୍ରସ୍ତ ହେବ। ପୁରୀ ଜିଲ୍ଲାର ଅସ୍ତରଙ୍ଗ, କାକଟପୁର ଆଦି ସମୁଦ୍ର ଉପକୂଳ ଅଞ୍ଚଳ ଜଳରାଶିରେ ବିଲୀନ ହେବାର ଆଶଙ୍କା ରହିଛି।

ଏହାର ଅର୍ଥନୈତିକ ଓ ରାଜନୈତିକ ପ୍ରଭାବ ଏବେ ବଞ୍ଚିରହିଥିବା ଲୋକମାନେ ନିଜ ଜୀବଦ୍ଦଶାରେ ଭୋଗିବେ ବୋଲି ଏହି ସଙ୍ଗଠନ ଚେତାବନୀ ଦେଇଛି। ତେଣୁ ପ୍ୟାରିସ୍ ରାଜିନାମା କାର୍ଯ୍ୟକାରୀ କରିବା ନିହାତି ଜରୁରି। ବର୍ତ୍ତମାନ ଦୈନିକ ସାମୁଦ୍ରିକ ଢେଉ କୂଳ ଲଙ୍ଘନ କରିବା ଫଳରେ ଏସିଆ ଅନ୍ତର୍ଗତ ୮ଟି ଦେଶର ଅନ୍ୟୂନ ୧୦ ନିୟୁତ ଲୋକ କ୍ଷତିଗ୍ରସ୍ତ ହେଉଛନ୍ତି। ବିଂଶ ଶତାବ୍ଦୀରେ ସମୁଦ୍ର ଜଳପତ୍ତନ ୧୧-୧୬ ସେଣ୍ଟିମିଟର ବୃଦ୍ଧି ପାଇଥିଲା। ସବୁଦେଶ ସଚେତନ ନହେଲେ, ଏକବିଂଶ ଶତାବ୍ଦୀରେ ସମୁଦ୍ର ପତ୍ତନରେ ପ୍ରାୟ ଦୁଇମିଟର ବୃଦ୍ଧି ପାଇବ। କେବଳ ବାଂଲାଦେଶ ଓ ଚୀନରେ ଯଥାକ୍ରମେ ୯୩ ଓ ୪୨ ନିୟୁତ ଲୋକ ବାସହରା ହୋଇଯିବେ।