ଜରାସିଂଘାରେ ଡବଲ ମର୍ଡର ଘଟଣା, ଅଧିକ ତଥ୍ୟ ସଂଗ୍ରହ ପାଇଁ ପହଞ୍ଚିଲା ସାଇଣ୍ଟିଫିକ୍‌ ଟିମ୍

ଦେଓଗାଁ,ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜରାସିଂଘା ଗାଁରେ ଡବଲ ମର୍ଡର ଘଟଣା। ମାମଲାରେ ଅଧିକ ଛାନ୍‌ଭିନ୍‌ ପାଇଁ ଘଟଣାସ୍ଥଳରେ ପହଞ୍ଚିଲା ସାଇଣ୍ଟିଫିକ୍‌ ଟିମ୍। ମୃତ ଧନମତ ରାଉତଙ୍କ ଘରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଯାଞ୍ଚ କରିବା ସହ ଅଧିକ ତଥ୍ୟ ସଂଗ୍ରହ କରିବ।

ସୂଚନା ଅନୁସାରେ ଜରାସିଂହା ଗାଁର ହରିଜନପଡ଼ାର କିଛି ଛେଳି ଚରୁଆଳି ଓ ଜରାସିଂହା ବାହାରପଡ଼ାର ଧନମତ ରାଉତ ଜରାସିଂହା- କୁଲିହାବାହାଲ ରାସ୍ତାରେ ଥିବା ବ୍ରିଜ ନିକଟ ପଡ଼ିଆକୁ ଛେଳି ଚରାଇବାକୁ ନେଇଥିଲେ। ସେଠାରେ ଶ୍ରୀପତୀ ବେସ୍ରାଙ୍କ ସହ ଧନମତ ରାଉତଙ୍କ ମଧ୍ୟରେ ଏକ ପାଇପକୁ ନେଇ ବଚସା ହୋଇଥିଲା। ଝଗଡ଼ା ବଢିଯିବାରୁ ଏହା ଗୋଷ୍ଠୀ ସଂଘର୍ଷ ରୂପ ନେଇଥିଲା। ଏହି ଗୋଷ୍ଠୀ ସଂଘର୍ଷରେ ଘଟଣାସ୍ଥଳରେ ଧନମତଙ୍କ ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲ ଯିବା ବାଟରେ ଶ୍ରୀପତିର ମୃତ୍ୟୁ ହୋଇଛି।

ଅନ୍ୟ ୨ ଜଣ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ଘଟଣାସ୍ଥଳରେ ଦେଓଗାଁ ଓ ତୁଷୁରା ପୁଲିସ ପହଞ୍ଚି ଶବ ଜବତ କରିଛି। ସେହିପରି ଶ୍ରୀପତିଙ୍କ ମୃତ ଶରୀରକୁ ହସ୍ପିଟାଲର ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି। ବଲାଙ୍ଗିର ଏସଡିପିଓଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ ଗାଁରେ ପରିସ୍ଥିତି ନିୟନ୍ତ୍ରଣ ରହିଥିବା ବେଳେ ସୁରକ୍ଷା  ପାଇଁ ୧ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ବରିଷ୍ଠ ପୁଲିସ ଅଧିକାରୀମାନେ ଗାଁରେ ଅନେକ ଲୋକଙ୍କ ପଚରାଉଚୁରାଜାରି ରଖିଛନ୍ତି।