ସାକ୍ଷୀଗୋପାଳ,ଏନ୍ଏନ୍ଏସ୍: ସାକ୍ଷୀଗୋପାଳ: ମଙ୍ଗଳବାର ବିଳମ୍ବିତ ରାତ୍ରୀରେ ପୁରୀ ଜିଲ୍ଲାର ସତ୍ୟବାଦୀ ଥାନା ଅନ୍ତର୍ଗତ ବୀରଗୋବିନ୍ଦପୁରସ୍ଥିତ ପ୍ରସିଦ୍ଧ ମା ଦକ୍ଷିଣକାଳୀଙ୍କ ପୀଠରୁ ଚୋରି ହୋଇଛି। ମନ୍ଦିରରୁ ଚୋରି ହୋଇଥିବା କଥା ବୁଧବାର ସକାଳେ ପୂଜକ ଚିତ୍ତରଞ୍ଜନ ଆଚାର୍ୟ୍ୟ ପ୍ରଥମେ ଦେଖିଥିଲେ। ପରେ ଏ ସଂକ୍ରାନ୍ତରେ ଗ୍ରାମ କୋଠ ତରଫରୁ ଥାନାରେ ଏତଲା ଦିଆଯାଇଥିଲା।
ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମନ୍ଦିରର ତାଲା ଭାଙ୍ଗି ୨ଟି ସୁନା କିରୀଟ, ସୁନା ଓ ରୁପାରେ ନିର୍ମିତ ଛତ୍ରୀ, ୩ଟି ସୁନା ମଙ୍ଗଳସୂତ୍ର, ମୁଣ୍ଡ ମାଳ ଏବଂ ହୁଣ୍ଡି ଲୁଟ୍ ନେଇଛନ୍ତି। ଏ ନେଇ ମନ୍ଦିର ପକ୍ଷରୁ ଥାନାରେ ଅଭିଯୋଗ କରାଯିବା ପରେ ସାଇଣ୍ଟିଫିକ ଟିମ ସହିତ ଆଇଆଇସି ଶକୁନ୍ତଳା ପତି ଓ ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନ ପ୍ରମୁଖ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଅନୁସାରେ, ବୁଧବାର ଭୋର ପ୍ରାୟ ୫ଟାରେ ମନ୍ଦିର ପୂଜକ ଅଗାଧୁ ଦିକ୍ଷିତ ଠାକୁରାଣୀଙ୍କ ମଙ୍ଗଳ ଆଳତି କରିବାକୁ ଯାଇଥିବାବେଳେ ମନ୍ଦିରରୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ସେ ଏ ସମ୍ପର୍କରେ ଗ୍ରାମକୋଠକୁ ଜଣାଇବା ପରେ ଗ୍ରାମ କୋଠ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା। ସାଇଣ୍ଟିଫିକ ଟିମ ତଦନ୍ତ କରିବା ପର୍ୟ୍ୟନ୍ତ ମନ୍ଦିରକୁ ପୁଲିସ ସିଲ୍ କରିଛି। ଠାକୁରାଣୀଙ୍କ ନୀତିକାନ୍ତି ବନ୍ଦ ରହିଛି। ମା’ଙ୍କ ମନ୍ଦିରରୁ ଚୋରିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।