ଆଜିଠୁ ସକାଳୁଆ ସ୍କୁଲ୍

ଭୁବନେଶ୍ୱର, ଏନ୍ଏନ୍ଏସ୍: ଆଜିଠାରୁ ରାଜ୍ୟର ସମସ୍ତ ବିଦ୍ୟାଳୟରେ ସକାଳୁଆ ପାଠପଢା ହେବ। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବାବେଳେ ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ ପାଠପଢା ସମୟକୁ ପରିବର୍ତ୍ତନ କରାଯାଇଥିଲା। ଏବେ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ଚାଲିଛି। ଏହି ଛାତ୍ରଛାତ୍ରୀଙ୍କ ପାଠପଢା ସକାଳ  ୭ଟାରୁ ଆରମ୍ଭ ହୋଇ ଅପରାହ୍ଣ ୧ଟା ମଧ୍ୟରେ ଶେଷ ହେବ। ଅନ୍ୟପକ୍ଷରେ ଅପରାହ୍ଣରେ ଡହଡହ ଖରା ହେଉଥିବାରୁ ଏନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି। ଏହାକୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ଓ ଅଖିଳ ଭାରତ ଛାତ୍ର ସଂଘ ପକ୍ଷରୁ ବିରୋଧ କରାଯାଇଛି। ଏନେଇ ଖୁବ୍ ଶୀଘ୍ର ବିଭାଗର ବରିଷ୍ଠ ପଦାଧିକାର ଓ ଜିଲା ଶିକ୍ଷାଧିକାରୀ(ଡିଇଓ)ଙ୍କର ଏକ ସମୀକ୍ଷା ବୈଠକ କରାଯିବ। ବୈଠକ ପରେ ସମୟ କମାଇବା ସମ୍ବନ୍ଧରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।