ଶୌଚାଳୟରେ ଛାତ୍ରକୁ ରଖି ସ୍କୁଲରେ ତାଲାପକା ଘଟଣାରେ ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ

ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ସହର ସ୍ଥିତ ମଠସାହି ଠାରେ ଥିବା ମହାବୀର ନୋଡାଲ ବିଦ୍ୟାଳୟର ଜଣେ ପ୍ରଥମ ଶ୍ରେଣୀର ଛାତ୍ର ସ୍କୁଲ ପରିସରରେ ରହିଯାଇଥିବା ବେଳେ ସ୍କୁଲଗେଟରେ ତାଲା ପଡ଼ିଥିବା ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବିଇଓ ନିଲମ୍ବିତ କରିଛନ୍ତି । କାର୍ଯ୍ୟରେ ଅବହେଲା ଯୋଗୁଁ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିପ୍ରତିମା ମହାପାତ୍ରଙ୍କୁ ନିଲମ୍ବିତ କରାଯାଇଛି।

ସୂଚନା ଅନୁସାରେ, ପ୍ରତିଦିନ ଭଳି ଗତ ବୁଧବାର ମଧ୍ୟ ଏହି ବିଦ୍ୟାଳୟ ୪ଟାରେ ଛୁଟି ହୋଇଥିଲା। ହେଲେ ୪ଟା୧୫ମିନିଟ ସମୟରେ ବିଦ୍ୟାଳୟର ଜଣେ ପ୍ରଥମ ଶ୍ରେଣୀର ଛାତ୍ର ବାଙ୍ଗୁରୁ ହାସଁଦାଙ୍କ ପୁଅ ଅମର ହାସଁଦା (୫) ସ୍କୁଲ ଛୁଟି ପରେ ଗେଟରେ ତାଲା ପଡିଥିବା ହେତୁ ସ୍କୁଲ ଗେଟ ସମ୍ମୁଖରେ ଛିଡା ହୋଇଥିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ସିଆରସିସି ନେତୃତ୍ୱରେ ଏକ ଟିମ୍ ସ୍କୁଲ ଯାଇ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚରାଉଚୁରା ଚଳାଇଥିଲା ଓ କାର୍ଯ୍ୟରେ ଅବହେଳା ଯୋଗୁଁ ତାଙ୍କୁ ନିଲମ୍ବିତ କରାଯାଇଛି।

ଘଟଣା ଅନୁସାରେ,ଗତ ବୁଧବାର ବିଦ୍ୟାଳୟ ଛୁଟି ସମୟରେ ଉକ୍ତ ପ୍ରଥମ ଶ୍ରେଣୀର ଛାତ୍ର ଅମର ଶୌଚାଳୟ ଯାଇଥିଲେ। ଶୌଚ ହେବାପରେ ବିଦ୍ୟାଳୟର ମୁଖ୍ୟ ଗେଟ ତାଲା ପଡ଼ିଥିଲା। ସେ ବିଦ୍ୟାଳୟ ପରିସରରେ ଏକୁଟିଆ ରହିଯିବାରୁ ସେ ଡରିଯାଇଥିଲେ ଏବଂ ଗେଟ ନିକଟରେ ଠିଆ ହୋଇଥିଲେ ବୋଲି ଅମର କହିଛନ୍ତି।

ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତୀପ୍ରତିମା ମହାପାତ୍ରଙ୍କ କହିବା ଅନୁସାରେ, ଗେଟରେ ସବୁବେଳେ ତାଲା ପଡିଥାଏ। ରାସ୍ତାଟି ଜନଗହଳିପୂର୍ଣ୍ଣ ଥିବାରୁ କୌଣସି ଦୁର୍ଘଟଣା ଘଟିବା ଆଶଙ୍କା କରି ଗେଟରେ ତାଲା ପଡ଼ିଥିଲା। ତେଣୁ ସେଠାରେ ପିଲାଟି ରହିଥିଲା। ହେଲେ ଏଥିରେ ପ୍ରିଲାପ୍ରତି କୌଣସି ପ୍ରକାର ଅନ୍ୟାୟ କରାଯାଇନାହିଁ ବୋଲି କହିଛନ୍ତି। ହେଲେ କିଛି ଖଳ ପ୍ରକୃତିର ଲୋକେ ବିଦ୍ୟାଳୟକୁ ବଦନାମ କରିବା ପାଇଁ ଏପରି କରୁଛନ୍ତି ବୋଲି ପ୍ରଧାନଶିକ୍ଷୟିତ୍ରୀ ସଫେଇ ଦେଇଛନ୍ତି।