ସ୍କୁଲ ବନ୍ଦ ନିଷ୍ପତ୍ତି ଆତ୍ମଘାତୀ: ବିଷ୍ଣୁ ସେଠୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପାଠ ପଢିବା ପିଲାମାନଙ୍କର ମୌଳିକ ଅଧିକାର। କିନ୍ତୁ ରାଜ୍ୟସରକାର ଏଠି ପିଲାଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ ରଖି ସେମାନଙ୍କ ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲି ଦେବା ପାଇଁ ପ୍ରୟାସ କରୁଛନ୍ତି। କେନ୍ଦ୍ର ସରକାର ଶିକ୍ଷା ଅଧିକାର ଆଇନ ଲାଗୁ କରିଥିବା ବେଳେ ରାଜ୍ୟ ସରକାର ଏଠି ବାଧକ ସାଜୁଛନ୍ତି। କମ୍ ସଂଖ୍ୟକ ଛାତ୍ର ଥିବା ଦର୍ଶାଇ ପାଖାପାଖି ସାଢେ ୭ ହଜାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ କହିଛନ୍ତି। ଶ୍ରୀ ସେଠୀ ଚେତାଇଛନ୍ତି ଯେ ରାଜ୍ୟରେ ସାଢେ ୭ ହଜାର ସ୍କୁଲ ବନ୍ଦ ନିଷ୍ପତ୍ତି ଆତ୍ମଘାତୀ ହେବ। ଏହା ସମ୍ପୁର୍ଣ୍ଣ ଅଗଣତାନ୍ତ୍ରିକ। ବିଦ୍ୟାଳୟ ଗୁଡିକୁ ବନ୍ଦ କରାଗଲେ ଏହାର ପ୍ରଭାବ ପଶ୍ଚିମ ଓଡ଼ିଶାରେ ଅଧିକ ପଡିବ। ଅନ୍ୟପଟେ କେବଳ କୋରାପୁଟରେ ୮୦୦ ସ୍କୁଲ ବନ୍ଦ ହୋଇଯିବାର ଆଶଙ୍କା ରହିଛି। ପିଲାମାନେ ନିଜ ଗାଁ ସ୍କୁଲ ଛାଡ଼ି ଅନ୍ୟ ଗାଁକୁ ଯାଇ ପାଠ ପଢିବା ସମ୍ଭବ ହେବ ନାହିଁ। ଏହାଦ୍ୱାରା ଅଧିକାଂଶ ପିଲା ପାଠ ଅଧାରୁ ଛାଡିବେ ଏବଂ ରାଜ୍ୟରେ ଡ୍ରପ ଆଉଟ ହାର ବୃଦ୍ଧି ପାଇବ।

ପ୍ରତିବର୍ଷ ୧୧ ଲକ୍ଷ ପିଲା ପ୍ରଥମ ଶ୍ରେଣୀରେ ନାମ ଲେଖାଇଲା ବେଳେ ମାଟ୍ରିକ ପରୀକ୍ଷା ବେଳକୁ ଏହା କମି ୬ ଲକ୍ଷରେ କାହିଁକି ପହଞ୍ଚିଯାଏ ବୋଲି ଶ୍ରୀ ସେଠୀ ପ୍ରଶ୍ନ କରିଛନ୍ତି। ପିଲାମାନଙ୍କର ବାଧ୍ୟତାମୂଳକ ଶିକ୍ଷାକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ତୁରନ୍ତ ଏହି ନିଷ୍ପତ୍ତିିକୁ ପ୍ରତ୍ୟାହାର ନକଲେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି ସେ ରୋକଠୋକ କହିଛନ୍ତି।

ସୂଚନାଯୋଗ୍ୟ, ଆଜି ବିଧାନସଭାରେ ସ୍କୁଲ ବନ୍ଦ ନିଷ୍ପତ୍ତି ସମ୍ପର୍କରେ ବିବୃତି ରଖଛନ୍ତିି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ପୂର୍ବ ଘୋଷଣାରେ ସାମାନ୍ୟ ପରିବର୍ତ୍ତନ କରାଯାଇଥିବା ସେ ଜଣାଇଛନ୍ତି। ଏଣିକି ଆଦିବାସୀ ଅଞ୍ଚଳରେ ୧୫ ରୁ କମ୍ ଛାତ୍ରଛାତ୍ରୀ ଥିଲେ ଯାଇ ସେହି ସ୍କୁଲ ବନ୍ଦ ହେବ। ସେହିଭଳି ଅନ୍ୟ ଅଞ୍ଚଳ ପାଇଁ ଏହି ସଂଖ୍ୟା ୨୫ ରଖାଯାଇଛି। ଏଣୁ ୭ ହଜାର ୭୭୨ଟି ସ୍କୁଲ ବଦଳରେ ଏଣିକି ଅପେକ୍ଷାକୃତ କମ୍ ସ୍କୁଲ ବନ୍ଦ ହେବ ବା ଅନ୍ୟ ସ୍କୁଲ ସହ ମିଶିବ।