ସ୍କୁଲ ପିଲାଙ୍କ ପରିବା କିଣା ଭିଡିଓ, ବିବାଦ ଘେରରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ

ବାଲେଶ୍ୱର,ଏନ୍ଏନ୍ଏସ୍: ବାହାନଗା ବ୍ଲକ୍ ବରିପଦା ପଞ୍ଚାୟତର ଖେରଙ୍ଗ ପ୍ରାଥମିକ ବିଦ୍ୟାଳୟର ୩ ଜଣ ପିଲା ଶୁକ୍ରବାର ପୂର୍ବାହ୍ନରେ ବର୍ଷା ହେଉଥିବା ବେଳେ ଖେରଙ୍ଗ ବଜାରରେ ଏକ ପରିବା ଦୋକାନରୁ ଆଳୁ କିଣୁଥିଲେ। ତେବେ ସ୍କୁଲ ଡ୍ରେସରେ ଥାଇ ପିଲା ବର୍ଷାରେ ପରିବା କିଣୁଥିବା ଦେଖି ଜଣେ ଅଭିଭାବକ ଏହାର ଭିଡିଓ ଉତ୍ତୋଳନ କରିବା ସହ କିଏ ପରିବା ଆଣିବାକୁ କହିଛି ବୋଲି ପଚାରିବାରୁ ମିନତି ଦିଦି ପଚାଶ ଟଙ୍କା ଦେଇ ଆଳୁ ଓ କଲରା ନେବା ପାଇଁ ପଠାଇଥିବା କହିଥିଲେ। ତେବେ ଏ ସମ୍ପର୍କରେ ଅଭିଭାବକ ଜଣକ ସ୍କୁଲ ପରିଚାଳନା କମିଟି ସଭାପତିଙ୍କୁ ଅବଗତ କରାଇଥିଲେ।

ସମ୍ପୃକ୍ତ ମିନତି ସେଠୀ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଥିବା ଜଣାପଡିଥିଲା। ଏ ସମ୍ପର୍କରେ ତାଙ୍କୁ ପଚାରିବାରେ ସେ ଘଟଣାଟିକୁ ସିଧାସଳଖ ଫାଙ୍କି ଦେଇଥିଲେ। ଏପରିକି ଯିଏ ପିଲା ଯାଇଥିଲେ ତାଙ୍କ ଅଭିଭାବକ ତାଙ୍କୁ ପଠାଇଥିବା କହିଥିଲେ। କିନ୍ତୁ ପରିଚାଳନା କମିଟି ସଭାପତି ବସନ୍ତ ପାଢ଼ୀଙ୍କୁ ପଚାରିବାରୁ ମିନତି ଦିଦିଙ୍କର ସମ୍ପର୍କୀୟ ଆସିବାକୁ ଥିବାରୁ ପରିବା  କିଣିବା ପାଇଁ ପଠାଇଥିବା କହିଥିଲେ।

ତେବେ ମିନତି ଦିଦି ଓ ସ୍କୁଲ ପରିଚାଳନା କମିଟି ସଭାପତିଙ୍କ ଭିନ୍ନ ମତାମତକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରିଣୀ ଶୁଭଲକ୍ଷ୍ମୀ ନାୟକଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ତଦନ୍ତରେ ଦୋଷୀ ସାବ୍ୟସ୍ତ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମତ ରଖିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ମିନତି କୁହନ୍ତି ସେ ତାଙ୍କୁ ପରିବା କିଣିବା ପାଇଁ ପଠେଇ ନାହାନ୍ତି। ଜଣେ ପିଲା ଅଭିଭାବକ ଆସି ପିଲାକୁ ଡାକି ପରିବା ଆଣିବା ପାଇଁ ତାଙ୍କୁ କହିଥିଲେ। ହେଲେ ସେ ମନା କରିଥିଲେ। ଅଭାବିକ ଜଣକ ଅନୁରୋଧ କରିବାରୁ ସେ ପିଲା ଏବଂ ତା ସହ ଅନ୍ୟ ଦୁଇ ଜଣ ପିଲା ଯାଇଥିଲେ ବୋଲି କହିଛନ୍ତି।