ସ୍କୁଲ ବସରେ ଜିପିଏସ୍‌ ନଥିଲେ ପର୍ମିଟ ବାତିଲ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ସଡ଼କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ସ୍କୁଲ ପିଲାଙ୍କ ସୁରକ୍ଷା ଲାଗି ସ୍କୁଲବସ ଗୁଡ଼ିକରେ ଜିପିଏସ୍‌ ବ୍ୟବସ୍ଥା ବାଧ୍ୟତାମୂଳକ କରାଯିବ। ଏମିତି କି ସ୍କୁଲ ବସ୍ ଡ୍ରାଇଭରର ଲାଇସେନ୍ସ ଯଦି ନଥିଲେ କିମ୍ବା ଲାଇସେନ୍ସ ଇନଭାଲିଡ ହୋଇଥିଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାଜ୍ୟରେ ପୂର୍ବରୁ ସମସ୍ତ ସ୍କୁଲବସ୍ ଗୁଡ଼ିକରେ ଜିପିଏସ୍‌ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ଆସନ୍ତା ୨ମାସ ମଧ୍ୟରେ ସବୁ ଗାଡ଼ିରେ ଜିପିଏସ୍‌ ବ୍ୟବସ୍ଥା ବାଧ୍ୟତାମୂଳକ କରାଯିବ।

ଯେଉଁ ଗାଡ଼ିରେ ଏହି ବ୍ୟବସ୍ଥା ନରହିବ ସମ୍ପୃକ୍ତ ବସର ପର୍ମିଟକୁ ବାତିଲ କରାଯିବ। ଏମିତି କି ଆବଶ୍ୟକ ପଡ଼ିଲେ ସମ୍ପୃକ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିଷ୍ପତ୍ତି ହୋଇଛି। ପ୍ରକାଶ ଥାଉ କି ଜିପିଏସ୍‌ ବ୍ୟବସ୍ଥା ମାଧ୍ୟମରେ ଗାଡ଼ିର ବେଗ, ଯାଉଥିବାରୁଟ୍‌ ତଥା ସମ୍ପୃକ୍ତ ଗାଡ଼ିର ସମସ୍ତ ତଥ୍ୟ ଜଣାପଡ଼ିବ। ଜିପିଏସ୍‌ ବ୍ୟବସ୍ଥାରେ ଗାଡ଼ିର ଲାଇସେନ୍ସ, ଇନ୍‌ସ୍ୟୁରାନ୍ସପର୍ମିଟ୍ ସମ୍ବନ୍ଧରେ ମଧ୍ୟ ସମସ୍ତ ତଥ୍ୟ ତୁରନ୍ତ ଜଣାପଡ଼ିବ। ଫଳରେ ଦୁର୍ଘଟଣା ଘଟାଇ ଖସି ଯାଉଥିବା ଗାଡ଼ିଗୁଡିକ ଖୁବ୍‍ଶୀଘ୍ର ଧରାପଡ଼ିବେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ବା ଆର୍ଟିଓ– ୧ର ଅଧିକାରୀ ପ୍ରଦୀପ କୁମାର ମହାନ୍ତି କହିଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି  ଯେ, ରାଜ୍ୟରେ ସଡ଼କ ଦୁର୍ଘଟଣାକୁ ରୋକିବା ଲାଗି ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି।

ଅପରପକ୍ଷେ ସବୁ ଗାଡ଼ି ଚାଳକଙ୍କ ବୀମା ଯାଞ୍ଚ କଡ଼ାକଡ଼ି ହେଉଛି। ଲାଇସେନ୍ସ ଯାଞ୍ଚ ଭଳି ଏଣିକି ବୀମା ରହିଛି କି ନାହିଁ ତାହା ମଧ୍ୟ ତଦାରଖ କରାଯିବ। ଯେଉଁ ସ୍କୁଲ ବସ୍ ଦ୍ରୁତଗତିରେ ଗାଡ଼ି ଚଳାଇବେ ଏବଂ ବିପଦପୂର୍ଣ୍ଣ ଭାବେ ପିଲାଙ୍କୁ ନେବା ଆଣିବା କରି ଧରାପଡ଼ିନ୍ତିସେମାନଙ୍କ ବିରୋଧରେ ନୋଟିସ୍ ଜାରି କରାଯିବ। ଯେଉଁ ସ୍କୁଲ ବସ୍, ଟେମ୍ପୋ, ଟାଟା ମ୍ୟାଜିକଗୁଡିକର ଫିଟ୍ନେସ୍ ନାହିଁ ସେମାନଙ୍କ ଗାଡ଼ି ପରମିଟ୍ କ୍ୟାନସେଲ କରିବା ସହ ଜୋରିମାନା ମଧ୍ୟ ଆଦାୟ ହେବ। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଲାଗି ସ୍କୁଲ ବସ୍ଚଳାଚଳରେ ଯେଉଁ ନିୟମ ଲାଗୁ କରାଯାଇଛି ତାହା କାର୍ଯ୍ୟକାରୀ ହେଉଛି କି ନାହିଁ ତା’ର ଯାଞ୍ଚ ଜିଲ୍ଲାୱାରୀ ମଧ୍ୟ ନିୟମିତକରାଯିବ।