ଆଜିଠୁ ପିଲାଙ୍କ ବସ୍ତାନି ଯାଞ୍ଚ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜିଠାରୁ ଉଭୟ ସରକାରୀ ଏବଂ ଘରୋଇ ସ୍କୁଲରେ ଆରମ୍ଭ ହେବ ଯାଞ୍ଚ। ପିଲାଙ୍କ ବସ୍ତାନି ବୋଝ ଯଦି ସରକାରଙ୍କ ନିର୍ଦ୍ଧାରଣ ଓଜନ ଠାରୁ ଅଧିକ ଥିବା ଜଣାପଡେ ତେବେ ସମ୍ପୃକ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ପ୍ରତ୍ୟେକ ଜିଲ୍ଲାରେ ୩ଟି ଜିଲ୍ଲାସ୍ତରୀୟ ସ୍କ୍ୱାଡ ଗଠନ କରାଯିବ। ଅଚାନକ ପରିଦର୍ଶନରେ ଯାଇଥିବା କମିଟିର ସଦସ୍ୟମାନେ ଯଦି ପିଲାଙ୍କ ସ୍କୁଲ ବ୍ୟାଗ୍ ଅଧିକ ଥିବା ରିପୋର୍ଟରେ ଦର୍ଶାନ୍ତି ତବେ ସମ୍ପୃକ୍ତ ଘରୋଇ ସ୍କୁଲର ଏନ୍ଓସି ବାତିଲ କରାଯିବ ବୋଲି ଜଣପଡ଼ିଛି।

ପ୍ରକାଶଥାଉ କି, ପ୍ରଥମରୁ ଦଶମ ପର୍ଯ୍ୟନ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ଚାପରୁ ମୁକ୍ତି ଦେବା ଲାଗି ଉଭୟ ସ୍କୁଲ ବ୍ୟାଗ୍ ଓ ହୋମୱାର୍କ ଉପରେ କଟକଣା ଲାଗିଥିଲା। ସ୍କୁଲଗୁଡିକରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରେ ପାଠପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ କୌଣସି ପ୍ରକାର ହୋମୱାର୍କ କରି ଆଣିବାକୁ ନିର୍ଦ୍ଦେଶ ଦେଇପାରିବେ ନାହିଁ ବୋଲି ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ସ୍କୁଲ ଛାତ୍ରଛାତ୍ରୀଙ୍କର ସ୍କୁଲ ବ୍ୟାଗ ଓଜନ୍ କେତେ ରହିବ ତାହା ମଧ୍ୟ ଧାର୍ଯ୍ୟ ହୋଇଛି। ହେଲେ ରାଜ୍ୟରେ ଥିବା ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲ କର୍ତ୍ତୃପକ୍ଷ ଏହି ନିୟମକୁ ଅବମାନନା କରୁଛନ୍ତି। ଫଳରେ ସରକାରଙ୍କ ନିର୍ଦ୍ଦେଶ ପରେ ବି କମିଲାନି ପିଲାଙ୍କ ବସ୍ତାନି ବୋଝ।

ଘରୋଇ ସ୍କୁଲଗୁଡିକରେ ପଢ଼ୁଥିବା ପିଲାମାନେ ପୂର୍ବପରି ୮ରୁ ୯କେଜି ଓଜନର ବସ୍ତାନୀ ଧରି ସ୍କୁଲ ଯାଉଛନ୍ତି। ତେବେ ସରକାରଙ୍କ ନିୟମକୁ ଅବମାନନା କରୁଥିବା ସ୍କୁଲଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ଦାବି ହୋଇଥିଲା। କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ସ୍କୁଲ ବ୍ୟାଗ ଓଜନ ନିୟମକୁ ଯେପରି ଘରୋଇ ସ୍କୁଲ କଡାକଡି ଭାବେ ଲାଗୁ କରିବେ ସେ ଦିଗରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି। ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଉପରେ ବ୍ୟାଗ୍ ବୋଝ ନଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

କିନ୍ତୁ ରାଜ୍ୟର ଘରୋଇ ସ୍କୁଲ ଏହି ନିୟମକୁ ମାନୁନାହାନ୍ତି। ଫଳରେ ପିଲାମାନେ ପୂର୍ବପରି ଶାରୀରିକ ଓ ମାନସିକ ଯନ୍ତ୍ରଣା ଭୋଗ କରୁଛନ୍ତି। ନିୟମ ଅନୁଯାୟୀ, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସ୍କୁଲ ବ୍ୟାଗ୍ର ଓଜନ ସର୍ବାଧିକ ୧.୫କେଜିରୁ ଅଧିକ ରହିବ ନାହିଁ।

ସେହିପରି ତୃତୀୟ ରୁ ୫ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ବ୍ୟାଗର ଓଜନ ୨ରୁ ୩କେଜି, ଷଷ୍ଠ ଓ ୭ମ ଶ୍ରେଣୀ ଲାଗି ୪କେଜି, ଅଷ୍ଟମ ଓ ୯ମଶ୍ରେଣୀ ପିଲାଙ୍କ ଲାଗି ୪.୫କେଜି ଓ ଦଶମ ଶ୍ରେଣୀ ପିଲାଙ୍କ ବ୍ୟାଗର ଓଜନ ସର୍ବାଧିକ ୫କେଜି ରହିବ। କିନ୍ତୁ ଘରୋଇ ସ୍କୁଲ କର୍ତ୍ତୃପକ୍ଷ ଏହି ନିୟମକୁ ଅବମାନନା କରୁଥିଲେ।

ବହୁବାର ସରକାରଙ୍କ ନିର୍ଦ୍ଦେଶକୁ ଘରୋଇ ସ୍କୁଲ ଅବମାନନା କରୁଥିବା ବେଳେ ଏଣିକି ଆଉ ମିଳିବନି ତ୍ରାହି। କଡାକଡ଼ି ଭାବେ ଏହି ନିୟମକୁ ଯାଞ୍ଚ କରିବାକୁ ଜିଲ୍ଲାପାଳମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।