ଭୁବନେଶ୍ବର,ଏନ୍ଏନ୍ଏସ୍: ସ୍କୁଲ ଆସୁନାହାନ୍ତି ୩୦ ପ୍ରତିଶତ ଛାତ୍ରଛାତ୍ରୀ। ଯାହାକୁ ନେଇ ଚିନ୍ତା ପ୍ରକାଶ କରିଛି ଗଣଶିକ୍ଷା ବିଭାଗ। ଡ୍ରପ୍ଆଉଟ୍ ପିଲାଙ୍କୁ ସ୍କୁଲ ଫେରାଇ ଆଣିବା ପାଇଁ ବ୍ୟବସ୍ଥା ହେଉଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଏନେଇ ଗଣଶିକ୍ଷା ସଚିବ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇଥିବା ଜଣାପଡ଼ିଛି।
ଅଫଲାଇନ କ୍ଳାସ କାହିଁକି କରୁନାହାନ୍ତି ସେ ନେଇ ତର୍ଜମା ଆରମ୍ଭ ହୋଇଛି। ଶିକ୍ଷକ, ସ୍କୁଲ ମ୍ୟାନେଜମେଣ୍ଟ କମିଟି, ସରପଞ୍ଚ ଓ ଏସ.ଏଚ.ଜି ମହିଳା ଏ ନେଇ କାରଣ ଖୋଜିବେ। ଘର ଘର ବୁଲି ଅଭିଭାବକଙ୍କ ସହ କଥା ହୋଇ ପିଲାଙ୍କୁ ସ୍କୁଲ ଫେରାଇ ଆଣିବାକୁ ପ୍ରୟାସ କରାଯିବ। ଚଳିତ ବର୍ଷ ୭୦ ପ୍ରତିଶତ ଛାତ୍ରଛାତ୍ରୀ ସ୍କୁଲ ଆସିଥିବା ବେଳେ ୩୦ ପ୍ରତିଶତ ପିଲା ସ୍କୁଲ ଆସିନାହାନ୍ତି। ୧୦୦ ପ୍ରତିଶତ ସ୍କୁଲ ଉପସ୍ଥାନ ସଂଖ୍ୟା ରଖିବାକୁ ଗଣଶିକ୍ଷା ବିଭାଗ ନୂଆ ପଦକ୍ଷେପ ନେଇଛି। ସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀ ଏ ବାବଦରେ ଧ୍ୟାନ ଦେବେ।
ସ୍କୁଲ କର୍ତ୍ତୃପକ୍ଷ ଅଭିଭାବକଙ୍କ ସହ ଯୋଗାଯୋଗରେ ରହିବେ। ଗାଁର ସରପଞ୍ଚ, ଏସଏଚଜିର ମହିଳା ମାନଙ୍କ ସହ ଆଲୋଚନା କରି କେଉଁ ଗାଁରେ କେତେ ଛାତ୍ରଛାତ୍ରୀ ସ୍କୁଲ ଆସୁନାହାନ୍ତି ତାର ତଦାରଖ କରିବେ। ଆସନ୍ତା ଶିକ୍ଷା ବର୍ଷରେ ସବୁ ପିଲା କେମିତି ଉପସ୍ଥିତ ରହିବେ ତା’ ଉପରେ ଧ୍ୟାନ ଦିଆଯିବ। ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ଛାତ୍ରଛାତ୍ରୀ ପ୍ରସଙ୍ଗରେ ସ୍କୁଲକୁ ରିପୋର୍ଟ ମଗାଯାଇଛି । ୧୦ ଦିନ ସମୟ ଦିଆଯାଇଛି। ବର୍ତ୍ତମାନ ରିପୋର୍ଟ ଆସିବା ଆରମ୍ଭ ହୋଇଛି। ତଥ୍ୟ ଆସିବାକୁ କିଛି ସମୟ ଲାଗିବ। ଆସିଲା ପରେ ବାସ୍ତବ କାରଣ ଜଣାପଡିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।
ମାଲକାନଗିରି, ବୌଦ୍ଧ, ଗଜପତି, ସମ୍ବଲପୁର, ନୂଆପଡା ଜିଲ୍ଲାରେ ପ୍ରଥମରୁ ୫ମ ଶ୍ରେଣୀ ପିଲାଙ୍କ ଉପସ୍ଥାନ ରାଜ୍ୟ ହାରଠାରୁ କମ ରହିଛି। ସେହିଭଳି ଅଷ୍ଟମ ପାସ ପରେ ଅନେକ ପିଲା ନବମ ଶ୍ରେଣୀରେ ନାମ ଲେଖାଇନାହାନ୍ତି। ଏଣୁ ପାଠ ଛାଡିଥିବା ପିଲାଙ୍କୁ ସ୍କୁଲ ଆଣିବା ଉପରେ ଗୁରୁତ୍ବ ଦିଆଯାଇଛି। ମହାମାରୀରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ଫଳରେ ୨ ବର୍ଷ ଧରି ପିଲାମାନେ ପାଠପଢାରୁ ବଞ୍ଚିତ ରହିଛନ୍ତି। ଏଣୁ ୨ ବର୍ଷ ପରେ ପାଠ ପ୍ରତି ଆଗ୍ରହ ନ ରହିବାରୁ ଅଧାରୁ ପାଠ ଛାଡ଼ୁଛନ୍ତି।
ପିଲାଙ୍କୁ ସ୍କୁଲ ଓ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ମାଗଣା ଫି, ୟୁନିଫର୍ମ, ମଧ୍ୟାହ୍ନ ଭୋଜନ ସହ ମେଧାବୃତ୍ତି ଭଳି ବିଭିନ୍ନ ଯୋଜନା କରିଛନ୍ତି। ତା ପରେ ମଧ୍ୟ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତି ଚିନ୍ତାର କାରଣ ପାଲଟିଛି। ଏବେ କାରଣ ଖୋଜାରେ ବ୍ୟସ୍ତ ସ୍କୁଲ ଓ ଗଣଶିକ୍ଷା ବିଭାଗ।