ମେ’ ୧୫ ଯାଏଁ ବଢ଼ିପାରେ ସ୍କୁଲ, କଲେଜ ଛୁଟି

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଲକ୍ ଡାଉନ୍ ସମୟ ସୀମାକୁ ବୃଦ୍ଧି କରିବା ନେଇ ଚିନ୍ତା କରାଯାଉଥିବା ବେଳେ ସ୍କୁଲ, କଲେଜ ଛୁଟି ଅବଧିକୁ ମେ’ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ସରକାରୀ ସ୍ତରରେ ଆଲୋଚନା ଚାଲିଛି। ଏହା ସହିତ ଧର୍ମାନୁଷ୍ଠାନ ଗୁଡ଼ିକରେ ଲୋକଙ୍କ ଗହଳି ନେଇ କଟକଣାକୁ ମଧ୍ୟ ମେ’ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ ବୋଲି ଜନୈକ ଅଧିକାରୀ କହିଛନ୍ତି । ପ୍ରକାଶଥାଉ କି, ସମଗ୍ର ଦେଶରେ ମହାମାରୀ କରୋନା ଭୂତାଣୁ ବା କୋଭିଡ୍-୧୯ ରୋଗର ଭୟାବହତା ଲାଗି ସମଗ୍ର ବିଶ୍ୱ ବର୍ତ୍ତମାନ ଅସ୍ଥିର ହୋଇପଡ଼ିଛି। ଏହି ପରିସ୍ଥିତିରେ ଏହାର ମୁକାବିଲା କ୍ଷେତ୍ରରେ ଡାକ୍ତରମାନେ ପ୍ରମୁଖ ଶକ୍ତି ପାଲଟିଛନ୍ତି। ତେବେ କରୋନା ମୁକାବିଲା ଲାଗି ରାଜ୍ୟରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ବିଶେଷକରି ରାଜ୍ୟରେ ସମସ୍ତ ସ୍କୁଲ, କଲେଜ ତଥା ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଛି। ଚଳିତବର୍ଷ ଅନେକ କ୍ଲାସର ବାର୍ଷିକ ପରୀକ୍ଷା ହୋଇ ନଥିବା ବେଳେ କିଛି ସ୍କୁଲରେ ପରୀକ୍ଷା ଅଧାରେ ବନ୍ଦ ରହିଛି।

ଏହି ପରିପ୍ରେକ୍ଷୀରେ ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିନା ପରୀକ୍ଷାରେ ସମସ୍ତଙ୍କୁ ପାସ୍ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଥିବା ବେଳେ ଦଶମ ପରୀକ୍ଷାର ମୂଲ୍ୟାୟନ ପ୍ରକ୍ରିୟା ଲକ୍ଡାଉନ୍ ଉଠିବା ପରେ ହେବ ବୋଲି ନିଷ୍ପତ୍ତି ହୋଇଛି। ତେବେ ଆସନ୍ତା ଏପ୍ରିଲ ୧୪ ପରେ ରାଜ୍ୟରେ ସ୍କୁଲ, କଲେଜ ଖୋଲିବା ନେଇ ଶୁଣିବାକୁ ମିଳୁଥିବା ବେଳେ ବର୍ତ୍ତମାନର ପରିସ୍ଥିତିକୁ ନଜର ଦେଇ ରାଜ୍ୟରେ ଏହି କଟକଣାକୁ ପ୍ରାୟ ମେ’ ୧୫ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯିବ ବୋଲି ଜଣାପଡ଼ିଛି। ସ୍କୁଲ ଓ ଗଣଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଏପ୍ରିଲ ୧୪ ପରେ ଲକ୍ଡାଉନ୍ ଉଠିବା ନେଇ ସ୍ପଷ୍ଟ ହୋଇନାହିଁ। ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜ୍ୟରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ତେଣୁ ପିଲାଙ୍କ ସୁରକ୍ଷାକୁ ନଜର ଦେଇ ଏହିଅବଧିକୁ ମେ’ ୧୫ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯିବ ବୋଲି ଯୋଜନା ଥିବା ବେଳେ ଏହାର ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। ତେବେ ଲକଡାଉନ୍ ଅବଧି ଯଦି ବୃଦ୍ଧି ପାଏ ତେବେ ରାଜ୍ୟରେ ପୁଣି ଶିକ୍ଷାନୁଷ୍ଠାନ ଖୋଲିବାରେ ଆହୁରି ବିଳମ୍ବ ହେବ। ତଥାପି ବର୍ତ୍ତମାନ ମେ’ ୧୫ ପର୍ଯ୍ୟନ୍ତ ସ୍କୁଲ, କଲେଜ ଛୁଟି ଅବଧି ବଢ଼ିବା ଏକ ପ୍ରକାର ନିଶ୍ଚିତ ହୋଇଛି।