ଗାଙ୍ଗଟକ,ଏଜେନ୍ସି: କରୋନା ସଂକଟ ସମୟରେ ସିକ୍କିମ ସରକାର ଆଗାମୀ ଜୁନ ୧୫ ତାରିଖରୁ ନିଜ ରାଜ୍ୟରେ ସ୍କୁଲ ଓ କଲେଜ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। କରୋନା ମୁକ୍ତ ସିକ୍କିମ ସ୍କୁଲ ଖୋଲିବାରେ ଦେଶର ପ୍ରଥମ ରାଜ୍ୟ ହେବ। ରାଜ୍ୟର ଶିକ୍ଷା ମନ୍ତ୍ରୀ କୁଙ୍ଗା ନୀମା ଲେପଚାଙ୍କ ଏହି ନିଷ୍ପତ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ଓ କଲେଜ ଛାତ୍ରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଛି।
ସିକ୍କିମର ଶିକ୍ଷାମନ୍ତ୍ରୀ କୁଙ୍ଗା ନୀମା ଲେପଚା କହିଛନ୍ତି, ଆମେ ସମସ୍ତ ସ୍କୁଲ ଓ କଲେଜ ଜୁନ ୧୫ରୁ ପୁଣି ଥରେ ଖୋଲିବାକୁ ଯାଉଛୁ। ଆମେ ନବମରୁ ଦ୍ୱାଦଶ ଶ୍ରେଣୀର ପାଠ୍ୟକ୍ରମ ଆରମ୍ଭ କରିବୁ । ନର୍ସରୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ବନ୍ଦ ରହିବ । ସାମାଜିକ ଦୂରତାକୁ ରକ୍ଷା କରି ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପାଠପଢ଼ାଯିବ। ବାକି ଶ୍ରେଣୀ ଗୁଡ଼ିକ ଅନଲାଇନରେ ପାଠପଢ଼ା ଜାରି ରହିବ। ସ୍କୁଲରେ ସକାଳୁ ପ୍ରାର୍ଥନା କରାଯିବ ନାହିଁ। ସେ କହିଛନ୍ତି, ପରବର୍ତ୍ତୀ ଆଦେଶ ଯାଏଁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ବନ୍ଦ ରହିବ।
ଶିକ୍ଷା ମନ୍ତ୍ରୀ କହିଛନ୍ତି, ବାର୍ଷିକ ପରୀକ୍ଷା ୨୦୨୧ ଫେବୃଆରୀ ଯାଏଁ ହେବ ନାହିଁ। ପାଠପଢ଼ାକୁ ଅଧିକ ଗୁରୁତ୍ୱ ଦିଆଯିବ। ଏଥି ସହିତ ଶନିବାର ଦିନ ମଧ୍ୟ ପାଠପଢ଼ା ଜାରି ରହିବ । କଲେଜ ଓ ବିଶ୍ୱବିଦ୍ୟାଳୟରେ ୨ଟି ସିଫ୍ଟରେ ପାଠ ପଢ଼ାଯିବ। ଏହି ସମୟରେ ସାମାଜିକ ଦୂରତ୍ୱ ଓ ଅନ୍ୟ ସୁରକ୍ଷା ପାଳନ କରାଯିବ।