କରୋନା ମୁକାବିଲା ପାଇଁ ଷ୍ଟାପ ଓ ଔଷଧ ମାଗିଲେ ଏସସିବି କର୍ତ୍ତୃପକ୍ଷ

କଟକ,ଏନ୍ଏନ୍ଏସ୍ : ସମଗ୍ର ବିଶ୍ୱରେ କରୋନାକୁ ନେଇ ଏବେ ଆତଙ୍କ। ଏହି ପରିପ୍ରେକ୍ଷୀରେ ଭାରତରେ ଗତକାଲି ପ୍ରଥମ କରୋନା ଆକ୍ରାନ୍ତ ରୋଗୀର ମୃତ୍ୟୁ ହୋଇଥିବାବେଳେ ଓଡ଼ିଶାରେ ଏ ଯାବତ କରୋନା ପଜେଟିଭ ରିପୋର୍ଟ ଆସିନାହିଁ। ତଥାପି ଏହାର ମୁକାବିଲା କରିବା ପାଇଁ କଟକ ବଡ଼ମେଡ଼ିକାଲ କର୍ତ୍ତୃପକ୍ଷ ଅଧିକ ତତ୍ପର ହୋଇ ଉଠିଛି। ଏଥିପାଇଁ ଏସସିବିରେ ପର୍ଯ୍ୟାପ୍ତ ପରିମାଣର ଔଷଧ ମାସ୍କ ଏବଂ ମେଡ଼ିକାଲ କର୍ମଚାରୀ ଅଭାବ ଥିବା ଦର୍ଶାଇ ହସ୍ପିଟାଲ କର୍ତ୍ତୃପକ୍ଷ ସରକାରଙ୍କୁ ଚିଠି ଲେଖିଛନ୍ତି।

ଏସସିବି ମେଡ଼ିକାଲ ଅଧିକ୍ଷକ ଡିଏମଇଟିଙ୍କୁ ଲେଖିଥିବା ଏହି ଚିଠିରେ ଏକ ହଜାର ଏନ୍ ୯୫ ମାସ୍କ, ୧ ହଜାର ପିପି କିଟ୍ ଏବଂ ଆବଶ୍ୟକୀୟ ଔଷଧ ତୁରନ୍ତ କଟକ ବଡମେଡ଼ିକାଲକୁ ପଠାଇବା ପାଇଁ ଉଲ୍ଲେଖ ରହିଛି। ଏଥିସହ ଆବଶ୍ୟକ ଷ୍ଟାପ ନର୍ସ ଓ ପାରାମେଡିକାଲ ଷ୍ଟାଫର ଅଭାବ ଥିବା ଚିଠିରେ ଦର୍ଶାଯାଇଛି। କରୋନା ୱାର୍ଡ଼କୁ ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି। ତେବେ ପର୍ଯ୍ୟାପ୍ତ ପରିମାଣର ମାସ୍କ ଓ ପିପି କିଟ୍ ନଥାଇ କିଭଳି ଚିକିତ୍ସା ଚାଲିଛି ସେଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ସୁସ୍ଥ ଲୋକେ ମାସ୍କ ବ୍ୟବହାର କରିବା ଜରୁରୀ ନୁହେଁ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ଯୁକ୍ତି ବାଢ଼ୁଥିବାବେଳେ ସଂକ୍ରମଣ ହୋଇଥିବା ରୋଗୀ ଯଦି ବିନା ମାସ୍କରେ ମେଡ଼ିକାଲ ଆସନ୍ତି ତାହେଲେ ଅନ୍ୟରୋଗୀ ବିନା ମାସ୍କରେ କିପରି ସୁରକ୍ଷିତ ରହିପାରିବେ ତାହା ମୁଖ୍ୟ ପ୍ରଶ୍ନ ହୋଇ ଉଠିଛି।

କଟକ ବଡ଼ମେଡ଼ିକାଲକୁ ସହରାଞ୍ଚଳରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପ୍ରତିଦିନ ହଜାର ହଜାର ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି। ସେହିଭଳି ବାହାର ରାଜ୍ୟର ରୋଗୀ ଉନ୍ନତମାନଙ୍କ ଚିକିତ୍ସା ପାଇବା ନିମନ୍ତେ ଏଠାକୁ ଧାଇଁ ଆସିଥାନ୍ତି । ତେବେ କରୋନାର ଭୟାବହତା ଦୃଷ୍ଟିରୁ ମେଡ଼ିକାଲରେ ଜନସଚେତନତା ସୃଷ୍ଟି ହୋଇନାହିଁ । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମଧ୍ୟ ସଚେତନତା ସୃଷ୍ଟି ନିମନ୍ତେ ସେପରି କୌଣସି ପଦକ୍ଷେପ ନିଆଯାଇ ନାହିଁ ।

ଏସସିବିରେ କରୋନା ପାଇଁ ଯେଉଁଠାରେ ସ୍ୱତନ୍ତ୍ର ୱାର୍ଡ଼ ଖୋଲାଯାଇଛି, ସେହି ବିଲ୍ଡିଂର ତଳେ ରହିଥିବା ଆଉଟଡୋରରେ ବହୁ ରୋଗୀ ଆତଜାତ ହୋଉଥିଲେ ମଧ୍ୟ ସେମାନେ କିମ୍ବା ତାଙ୍କ ସମ୍ପର୍କୀୟଙ୍କୁ ମୁହଁରେ ମାସ୍କ ନଥିବା ଦେଖିବାକୁ ମିଳିଛି। ଖୁବ ହାତଗଣତି ରୋଗୀ ଓ ତାଙ୍କ ସମ୍ପର୍କୀୟ ଆଉଟଡୋରରେ ମାସ୍କ ବ୍ୟବହାର କରୁଛନ୍ତି। କରୋନ ସନ୍ଦିଗ୍ଧ ରୋଗୀ ସେହିବାଟ ଦେଇ ୱାର୍ଡ଼କୁ ଯାଉଥିବାରୁ ସଂକ୍ରମଣର ଆଶଙ୍କା ରହିଛି। ତେବେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏ ସମ୍ପର୍କରେ ହୋର୍ଡ଼ିଂ କିମ୍ବା ପୋଷ୍ଟର ଲଗାଯାଉ ନଥିବାରୁ ରୋଗୀ ଓ ତାଙ୍କ ସମ୍ପର୍କୀୟ ସଚେତନ ହୋଇ ପାରୁନାହାନ୍ତି ।