ସମ୍ବଲପୁର ଷ୍ଟେସନ ହେଲା ୨ୟ ପ୍ଲାଷ୍ଟିକ ବର୍ଜିତ ଷ୍ଟେସନ

ଭୁବନେଶ୍ୱର,୨୯ା୮/ଏନ୍ଏନ୍ଏସ୍: ବୁଧବାରଠାରୁ ସମ୍ବଲପୁର ରେଳଷ୍ଟେସନକୁ ପ୍ଲାଷ୍ଟିକ ବର୍ଜିତ ଷ୍ଟେସନ ଭାବେ ଘୋଷଣା କରାଯାଇଛି । ଫଳରେ ତିରୁପତି ପରେ ଏହା ଦେଶର ଦ୍ୱିତୀୟ ପ୍ଲାଷ୍ଟିକ ବର୍ଜିତ ଷ୍ଟେସନରେ ପରିଣତ ହୋଇଛି । ଘୋଷଣା ଅବସରରେ ବହୁସଂଖ୍ୟକ ରେଳବାଇ କର୍ମଚାରୀ, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍କାଉଟ୍ସ ଗାଇଡ୍ସ ଓ ଏନ୍ସିସି କର୍ମୀ, ସଫେଇ କର୍ମଚାରୀ ଏବଂ ବରିଷ୍ଠ ନାଗରିକମାନେ ଶପଥଗ୍ରହଣ କରିଥିଲେ । ଏହାର ନେତୃତ୍ୱ ନେଇଥିଲେ ସମ୍ବଲପୁର ରେଳବାଇ ମଣ୍ଡଳର ରେଳବାଇ ପ୍ରବନ୍ଧକ ଡ. ଜୟଦୀପ ଗୁପ୍ତା । ଡ. ଗୁପ୍ତାଙ୍କ ନେତୃତ୍ୱରେ ରେଳବାଇ କର୍ମଚାରୀ, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍କାଉଟ୍ସ ଗାଇଡ୍ସ୍ ଓ ଏନ୍ସିସି କର୍ମୀ, ସଫେଇ କର୍ମଚାରୀ ଏବଂ ବରିଷ୍ଠ ନାଗରିକମାନେ ଏକ ରାଲି ମାଧ୍ୟମରେ ସାଧାରଣ ଜନତାଙ୍କୁ ପ୍ଲାଷ୍ଟିକ୍ ବ୍ୟବହାର ନକରିବା ସମ୍ବନ୍ଧରେ ସଚେତନ କରାଇଥିଲେ । ଏହି ଅବସରରେ ରେଳବାଇ ପ୍ରବନ୍ଧକ ଡ. ଜୟଦୀପ ଗୁପ୍ତା ପରିବେଶ ଉପରେ ପ୍ଲାଷ୍ଟିକର ପ୍ରତିକୂଳ ପ୍ରଭାବ ସମ୍ପର୍କରେ ଜଣାଇବା ସହ ପ୍ଲାଷ୍ଟିକ୍ ବ୍ୟବହାର ନକରିବାକୁ ପରାମର୍ଶ ଦେଇଥିଲେ ।