ଖର୍ଚ୍ଚ ହୋଇପାରୁନି ଗଚ୍ଛିତ ପାଣ୍ଠି

ଭୁବନେଶ୍ୱର,ଏନ୍ଏନ୍ଏସ୍: ହୋମ୍ କ୍ୱାରେଣ୍ଟାଇନ୍ ପାଇଁ ପ୍ରତି ପଞ୍ଚାୟତକୁ ୫ଲକ୍ଷ ପର୍ଯ୍ୟନ୍ତ ଅର୍ଥ ଖର୍ଚ୍ଚ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ମାର୍ଚ୍ଚ ୧୬ ତାରିଖରେ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ରାଜ୍ୟର ସବୁ ଜିଲ୍ଲାର ଜିଲ୍ଲାପାଳ, ବ୍ଲକ୍ ଉନ୍ନୟନ ଅଧିକାରୀ, ପଞ୍ଚାୟତ ଅଧିକାରୀଙ୍କୁ ଚିଠି ଲେଖି ଅର୍ଥ ଖର୍ଚ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସାରା ରାଜ୍ୟରେ ପଞ୍ଚାୟତସ୍ତରରେ ବିଦେଶରୁ ଫେରିଥିବା ଲୋକ ଓ ସଂକ୍ରମିତ ସନ୍ଦୀଗ୍ଧ ପାଇଁ ଏକାନ୍ତବାସର ବ୍ୟବସ୍ଥା କରାଯାଉଛି। ତେବେ ଏଥିପାଇଁ ଖର୍ଚ୍ଚ ହେଉଥିବା ଅର୍ଥ ସରକାରୀ ତହବିଲରୁ ଆସୁନି।

ଜିଲ୍ଲା ପ୍ରଶାସନର ଅବହେଳା କାରଣରୁ ଗ୍ରାମ ପଞ୍ଚାୟତର ସରପଞ୍ଚମାନେ ନିଜ ଅଧିକୃତ ପାଣ୍ଠିରୁ ଟଙ୍କାଟିଏ ମଧ୍ୟ ଉଠାଇ ପାରୁନାହାନ୍ତି। ନିଜ ବ୍ୟକ୍ତିଗତ ଅର୍ଥ ବିନିଯୋଗ କରି ସରପଞ୍ଚମାନେ ଏକାନ୍ତବାସ, ସାନିଟାଇଜିଂ ଓ ବିଶୁଦ୍ଧ ପାଣିର ବ୍ୟବସ୍ଥା କରୁଛନ୍ତି। ସରପଞ୍ଚମାନଙ୍କ ଟଙ୍କାର ବିନିଯୋଗରେ ଜିଲ୍ଲା ପ୍ରଶାସନ ପ୍ରଶଂସା ସାଉଁଟଥିବା ରାଜ୍ୟ ସରପଞ୍ଚ ସଂଘ ସଭାପତି ପ୍ରଦ୍ୟୁମ୍ନ ଜେନା ଅଭିଯୋଗ କରିଛନ୍ତି। ଜିଲ୍ଲା ପ୍ରଶାସନ ଉପରେ ଅସନ୍ତୋଷ ଜାହିର କରି ଶ୍ରୀ ଜେନା କହିଛନ୍ତି ଯେ ପଞ୍ଚାୟତିରାଜ ବିଭାଗରୁ ମିଳିଥିବା ନିର୍ଦ୍ଦେଶ ଅନୁଯାୟୀ ସରପଞ୍ଚମାନଙ୍କୁ ଗ୍ରାମ ପଞ୍ଚାୟତ ପାଣ୍ଠି ଅଧୀନରେ ଗଚ୍ଛିତ ଥିବା ଟଙ୍କାକୁ ଖର୍ଚ୍ଚ କରିବା ପାଇଁ କୁହାଯାଇଥିଲା।

ମାତ୍ର ରାଜ୍ୟର ଗୋଟିଏ ବି ହେଲେ ପଞ୍ଚାୟତ ପାଣ୍ଠିର ଟଙ୍କା ଉଠାଇବା ସମ୍ଭବ ହୋଇ ପାରିନାହିଁ। ଏହା ପଛର କାରଣ ହେଉଛି ପ୍ରଶାସନର ଅବହେଳା। ଅର୍ଥ ଉଠାଇବାକୁ ହେଲେ ବିଡିଓଙ୍କ ମାଧ୍ୟମରେ ଜିଲ୍ଲାପାଳଙ୍କଠାରୁ ଅନୁମତି ଆବଶ୍ୟକ ହୋଇଥାଏ। କ୍ୟାରେଣ୍ଟାଇନ୍ ବ୍ୟବସ୍ଥା ପାଇଁ ବିଡିଓ ଓ ପଞ୍ଚାୟତ ଅଧିକାରୀମାନେ ଅର୍ଥ ଅନୁୁମୋଦନ ପାଇଁ ସୁଯୋଗ ଦେଉନାହାନ୍ତି। ଏନେଇ ଆଲୋଚନା ମଧ୍ୟ ହୋଇଛି। ସରପଞ୍ଚ ସଂଘର ଯୁକ୍ତି ଶୁଣି ପ୍ରଶାସନ ୨୫ ହଜାର ଟଙ୍କା ଦେବା ପାଇଁ ପ୍ରସ୍ତୁତ ଥିଲା ମାତ୍ର ଏତେ କମ୍ ପରିମାଣର ଅର୍ଥ ଏକାନ୍ତାବାସର ବ୍ୟବସ୍ଥା କରିବା ପାଇଁ ଯଥେଷ୍ଟ ନୁହେଁ ବୋଲି ପ୍ରଦ୍ୟୁମ୍ନ ଯୁକ୍ତି ବାଢ଼ିଛନ୍ତି। ସେ କହିଛନ୍ତି ଯେ ଅତିକମରେ ଗୋଟିଏ ଖଟ, ବେଡସିଟ୍ ଓ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ତିଆରି କରିବା ପାଇଁ ମଧ୍ୟ ୨୫ ହଜାର ଟଙ୍କା ନିଅଣ୍ଟ ପଡ଼ିବ। ଏଭଳି ସ୍ଥିତିରେ ଏତେ କମ୍ ଟଙ୍କାରେ ଏଭଳି ବ୍ୟବସ୍ଥା କରିବା ଆଦୌ ସମ୍ଭବ ନୁହେଁ।

ସେ ସରପଞ୍ଚ ସଂଘ ତରଫରୁ ଅତିକମରେ ୧ ଲକ୍ଷ ଟଙ୍କାର ଦାବି କରିଥିବା ବେଳେ ଜିଲ୍ଲା ପ୍ରଶାସନ ଏଥିପାଇଁ ଅନୁମତି ଦେଉନାହିଁ ବୋଲି ମଧ୍ୟ ଜଣାଇଛନ୍ତି। ସରପଞ୍ଚମାନେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି କ୍ୱାରେଣ୍ଟାଇନ୍ ସେଣ୍ଟର ତିଆରି କରୁଛନ୍ତି। ତେବେ ଏହା କିଛି ହାତ ଗଣତି ପଞ୍ଚାୟତର ସ୍ଥିତ ନୁହେଁ। ରାଜ୍ୟର ସବୁ ପଞ୍ଚାୟତରେ ସରପଞ୍ଚମାନେ ହିଁ ନିଜ ବ୍ୟକ୍ତିଗତ ଅର୍ଥ ବିନିଯୋଗ କରି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବ୍ୟବସ୍ଥା କରୁଛନ୍ତି। ସରପଞ୍ଚମାନଙ୍କର ମଧ୍ୟ ଅର୍ଥ ଖର୍ଚ୍ଚ କରିବାର ସୀମା ରହିଛି। ଜିଲ୍ଲା ପ୍ରଶାସନର ଏଭଳି ଆଭିମୁଖ୍ୟ ସରପଞ୍ଚମାନଙ୍କୁ ହରଡ଼ଘଣାରେ ପକାଇଥିବା ଶ୍ରୀ ଜେନା କହିଛନ୍ତି।

ତାଙ୍କ କହିବା କଥା ଯେ, ସରପଞ୍ଚମାନଙ୍କର ଗୋଟିଏ ପଟେ ସରକାରୀ ନିର୍ଦ୍ଦେଶନାମାକୁ ଅଣଦେଖା କରିବାର ସାହସ ନଥିବା ବେଳେ ଅନ୍ୟ ପଟେ ବିନା ଟଙ୍କାରେ ଏକାନ୍ତବାସ ଓ ସାନିଟାଇଜିଂର ବ୍ୟବସ୍ଥା କରିବା ସହଜସାଧ୍ୟ ହେଉନି। ବାଧ୍ୟ ହୋଇ ଧାର ଉଧାର କରି ସରକାରୀ ନିୟମକୁ ପାଳନ କରୁଛୁ। ତେବେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ସରପଞ୍ଚମାନଙ୍କୁ ପଞ୍ଚାୟତ ପାଣ୍ଠି ଅର୍ଥକୁ ଖର୍ଚ୍ଚ କରିବାକୁ ଅନୁମତି ଦିଅନ୍ତୁ ବୋଲି ରାଜ୍ୟ ସରପଞ୍ଚ ସଂଘ ଦାବି କରିଛି।