ବିଶ୍ୱାସ ନ ହେଲେ ବି ସତ: ଆଜି ବି ବଞ୍ଚି ରହିଛି ଲାଞ୍ଜିଆ ସଉରାଙ୍କ ଭିନ୍ନ ଦୁନିଆ ସହିତ କଥୋପକଥନ ପ୍ରଥା

ରାୟଗଡ଼ା,ଏନ୍ଏନ୍ଏସ୍: ବିଶ୍ୱାସରେ ବନ୍ଧା ଲାଞ୍ଜିଆ ସଉରା ସମ୍ପ୍ରଦାୟ। କୃଷି ପଦ୍ଧତିଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ଚିକିତ୍ସା ସବୁଥିରେ ଏହି ଆଦିମ ଜନଜାତି ଅନ୍ୟ ସମ୍ପ୍ରଦାୟ ଠାରୁ ପୁରା ଭିନ୍ନ ଓ ପ୍ରକୃତି ସମ୍ବନ୍ଧୀୟ। ପ୍ରତ୍ୟେକ କ୍ଷେତ୍ରରେ ପ୍ରକୃତି ଉପରେ ଅଧିକ ନିର୍ଭର କରି ଜୀବନ ଜିଇଁବା ଶିଖିଛନ୍ତି ସେମାନେ। ଏବେ ଆଧୁନିକତାର ଛାପରେ ହଜିଯାଉଛି ସେମାନଙ୍କ ଜୀବନ ଶୈଳୀ। ହେଲେ ଆଜି ବି ପକୃତି ପ୍ରେମରୁ ବିଚ୍ୟୁତ ହୋଇ ନାହାନ୍ତି ଏହି ବନବାସୀ।

ଏଭଳି ପ୍ରଥା ସଉରା ସମ୍ପ୍ରଦାୟରେ ଜୀବିତ ଅଛି ଯାହାକି ନିଜେ ନଦେଖିଲେ ବିଶ୍ୱାସ କରି ହେବନି। ସଉରା ସମାଜରେ ଶତାଧିକ ଦେବାଦେବୀ ଆରାଧ୍ୟ ଅଛନ୍ତି। ଏକ ଅଲୌକିକ ଶକ୍ତିର ପରିଚାଳନାରେ ତାଙ୍କର ସମାଜ ତିଷ୍ଠି ରହିଛି। ତାଙ୍କ ପରିବାର ତଥା ସମାଜର ଭଲମନ୍ଦ ଏହି ଶକ୍ତି ଦ୍ୱାରା ନିୟନ୍ତ୍ରିତ ହେଉଥିବା ସେମାନଙ୍କ ବିଶ୍ୱାସ ରହିଛି। ଯେତେବେଳେ ସେମାନେ ଦୁଃଖ, ଦୁର୍ଦ୍ଦିନ, ରୋଗବ୍ୟାଧୀ କିମ୍ବା ଦୁର୍ବିପାକର ସମ୍ମୁଖୀନ ହୁଅନ୍ତି, ସେତେବେଳେ ସେମାନେ ସେହି ଶକ୍ତିର କୁପ୍ରଭାବରୁ ମୁକ୍ତି ପାଇବା ପାଇଁ ପିତୃପୁରୁଷଙ୍କୁ ନିଜ ଶରୀରରେ ଆବାହନ କରି ତାଙ୍କରି ମାଧ୍ୟମରେ ସମାଧାନର ରାସ୍ତା ପାଇବାର ବାଟ ଖୋଜିଥାନ୍ତି। ସେଥିପାଇଁ ଏହି ଆଦିମ ଜନଜାତିମାନେ ପିତୃପୁରୁଷଙ୍କୁ ଯଥେଷ୍ଟ ସମ୍ମାନ ଦେଇଥାନ୍ତି।

ସେମାନଙ୍କ ଧାରଣା ଯେ, ପିତୃପୁରୁଷ ଗଣ ଅଲୌକିକ ଶକ୍ତିମାନଙ୍କ ସହିତ ଏଣେତେଣେ ବିଚରଣ କରିଥାନ୍ତି। ସେମାନଙ୍କୁ ସ୍ମରଣ କଲେ ଅର୍ଥାତ ସେମାନଙ୍କୁ ସନ୍ତୁଷ୍ଟ କଲେ ଘର ଓ ପରିବାରର ମଙ୍ଗଳ ହୁଏ। ସଉରା ସମ୍ପ୍ରଦାୟର ସମସ୍ତେ ଏହି ବିଦ୍ୟାରେ ନିପୁଣ ନଥାନ୍ତି। କେତୋଟି ଗାଁ’ ପାଇଁ ଜଣେ କିମ୍ବା ୨ ଜଣଙ୍କ ପାଖରେ ଭିନ୍ନ ଦୁନିଆର ଶକ୍ତିଙ୍କ ସହିତ କଥା ହେବାର କ୍ଷମତା ରହିଥାଏ। ଏହି ବିଦ୍ୟାରେ ନିପୁଣ ଥିବା ପୁରୁଷଙ୍କୁ ସଉରା ଭାଷାରେ କୁଡ଼ୁମ୍ବାର ଏବଂ ସ୍ତ୍ରୀ ଲୋକଙ୍କୁ କୁଡ଼ୁମ୍ବୟ ବୋଲି କୁହାଯାଇଥାଏ। ତେବେ ସାଧାରଣତଃ ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକରୁ ଅଧିକ ଏହି ପୂଜା କରିଥାନ୍ତି।

ବିଜ୍ଞାନ ଯାହାକୁ ସ୍ପିରିଟ କଲର ମାନ୍ୟତା ଦେଇଛି କେଉଁ ଆବାହମାନ କାଳରୁ ସଉରା ସମ୍ପ୍ରଦାୟରେ ଏହି ବିଦ୍ୟାର ପ୍ରଚଳନ ହୋଇ ଆସୁଥିବା ନିଛକ ଉଦାହରଣ ଦେଖିବାକୁ ମିଳିଛି। ଲାଞ୍ଜିଆ ସଉରା ଜନଜୀବନର ଚିତ୍ର କ୍ୟାମେରାରେ ତୋଳିବା ପାଇଁ ଆମେ ଗୁଣପୁର ବ୍ଲକ୍ ଅନ୍ତର୍ଗତ ପୁଟାସଂ ପଞ୍ଚାୟତର ଆଲେଙ୍ଗଆଲ ଗାଁ’ରେ ପହଞ୍ଚିବା ସମୟରେ ହଠାତ ଏକ ଘର ଭିତରୁ ଭାଷି ଆସୁଥିବା ସ୍ୱରକୁ ଠଉରେଇ ପହଞ୍ଚିବା ପରେ ଜଣାପଡ଼ିଥିଲା ସଉରା ସମ୍ପ୍ରଦାୟର ଗୁପ୍ତ ଭେଦ।