ସାଉଦି ଯୁବରାଜଙ୍କ ସହ ଡୋଭାଲଙ୍କ ଆଲୋଚନା

ଜେଦାହ: ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ସାଉଦି ଆରବ ଗସ୍ତରେ ଥିବାବେଳେ ଭାରତର ଜାତୀୟ ନିରାପତ୍ତା ପରାମର୍ଶଦାତା (ଏନ୍ଏସ୍ଏ) ଅଜିତ ଡୋଭାଲ ବୁଧବାର ସାଉଦି ଯୁବରାଜ ମହମ୍ମଦ ବିନ୍ ସଲମାନଙ୍କୁ ଭେଟି କଶ୍ମୀର ପ୍ରତି ନୂଆଦିଲ୍ଲୀର ଆଭିମୁଖ୍ୟ ସମ୍ପର୍କରେ ବୁଝାଇ ଦେଇଛନ୍ତି। ପ୍ରାୟ ଦୁଇଘଣ୍ଟା ଧରି ଡୋଭାଲ ଓ ଯୁବରାଜ ସଲମାନଙ୍କ ମଧ୍ୟରେ ଆଲୋଚନା ଚାଲିଥିଲା। ଜମ୍ମୁ-କଶ୍ମୀର ଉପରେ ଭାରତ ସରକାରଙ୍କ ପଦକ୍ଷେପକୁ ଯୁବରାଜ ସଲମାନ ହୃଦୟଙ୍ଗମ କରିପାରିଛନ୍ତି।

ସାରା ବିଶ୍ୱ ପାକିସ୍ତାନକୁ ସନ୍ଦେହ ଦୃଷ୍ଟିରେ ଦେଖୁଥିବା ବେଳେ ଏକମାତ୍ର ସାଉଦି ଆରବ ତା’ର ଶେଷ ଆଶା ଓ ଭରସା। ଇସ୍ଲାମାବାଦଠାରୁ ରିୟାଦ୍ ମୁହଁ ବୁଲାଇନେଲେ, ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କାହାକୁ ମୁହଁ ଦେଖାଇ ପାରିବେନି।
ଭାରତ ଓ ସାଉଦି ଆରବର ବିଭିନ୍ନ ସମସ୍ୟା ସମ୍ପର୍କରେ ଯୁବରାଜ ସଲମାନ ଓ ଡୋଭାଲ ଆଲୋଚନା କରିଥିଲେ।

ନୂଆଦିଲ୍ଲୀ ଓ ରିୟାଦ ମଧ୍ୟରେ ଅତି ନିବିଡ଼ ସମ୍ପର୍କ ରହିଆସିଛି। ଆଗାମୀ ଦିନରେ ଦୁଇଦେଶର ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ମିଳିତ ପଦକ୍ଷେପ ଗ୍ରହଣ କରାଯିବାର ଅଛି। ୨୦୩୦ ଭିଜନ୍କୁ ଲକ୍ଷ୍ୟ ରଖି ଦୁଇଦେଶ ଅର୍ଥନୈତିକ ଅଭିବୃଦ୍ଧି ପ୍ରତି ଗୁରୁତ୍ୱ ଦେଉଛନ୍ତି। ଡୋଭାଲ ସାଉଦି ଆରବର ଜାତୀୟ ନିରାପତ୍ତା ପରାମର୍ଶଦାତା ମୁସୈଦ ଅଲ-ଆଇବାନଙ୍କୁ ଭେଟିଥିଲେ। ଅଲ୍-ଆଇବାନ ସାଉଦି ଆରବର ରାଜନୈତିକ ଓ ନିରାପତ୍ତା ବ୍ୟାପାର ପରିଷଦର ଅଧ୍ୟକ୍ଷ ଅଛନ୍ତି।

ଦୁଇ ପରାମର୍ଶଦାତା ଆଞ୍ଚଳିକ ନିରାପତ୍ତା ବିଷୟରେ ଆଲୋଚନା କରିଥିଲେ। ସାଉଦି ଆରବର ଆହୁରି କିଛି ଟପ୍ ନେତାଙ୍କୁ ଡୋଭାଲ ସାକ୍ଷାତ କରିବାର ଅଛି। ଧାରା ୩୭୦ ଉଚ୍ଛେଦ ପରଠାରୁ ଜମ୍ମୁ-କଶ୍ମୀରର ପ୍ରତିଟି ପରିସ୍ଥିତି ସହ ଡୋଭାଲ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ସାଉଦି ଆରବ ଗସ୍ତରେ ପଠାଇଛନ୍ତି। ପାକିସ୍ତାନର କଶ୍ମୀର ଆଭିମୁଖ୍ୟକୁ ସାମ୍ନା କରିବା ପାଇଁ ଏକମାତ୍ର ଡୋଭାଲ ହିଁ ଉପଯୁକ୍ତ ବ୍ୟକ୍ତି। ଜମ୍ମୁ-କଶ୍ମୀର ଭାରତର ଆଭ୍ୟନ୍ତରୀଣ ମାମଲା ବୋଲି ସାଉଦି ଆରବକୁ ବୁଝାଇବା ଡୋଭାଲଙ୍କ ମୁଖ୍ୟ ଉଦ୍ଦେଶ୍ୟ।

ଭାରତର ଅନ୍ୟ ରାଜ୍ୟବାସୀଙ୍କୁ ଦିଆଯାଉଥିବା ସୁବିଧା ସୁଯୋଗଗୁଡ଼ିକୁ ଜମ୍ମୁ-କଶ୍ମୀର ଲୋକମାନଙ୍କୁ ଉପଲବ୍ଧ କରାଇବା ମୋଦୀ ସରକାରଙ୍କ ଅନ୍ୟତମ ଉଦ୍ଦେଶ୍ୟ ବୋଲି ଡୋଭାଲ ସାଉଦି ଆରବ ନେତୃମଣ୍ଡଳୀଙ୍କ ଆଗରେ ଜଣାଇ ସାରିଛନ୍ତି। କଶ୍ମୀର ମାମଲାକୁ ଆନ୍ତର୍ଜାତିକ ରୂପ ଦେବାପାଇଁ ପାକିସ୍ତାନ ଯଥାସାଧ୍ୟ ଉଦ୍ୟମ କରି ହାତଗଣତି ଚୀନ୍, ମାଲେସିଆ ଓ ତୁର୍କୀର ସମର୍ଥନ ପାଇବାକୁ ସକ୍ଷମ ହୋଇଛି।

ଏହି ତିନୋଟି ଦେଶକୁ ବାଦ୍ ଦେଲେ, ଅନ୍ୟ ଦେଶଗୁଡ଼ିକ ଭାରତକୁ ସମର୍ଥନ କରୁଛନ୍ତି। ଆଶ୍ଚର୍ଯ୍ୟର କଥା, ଉଭୟ ସଂଯୁକ୍ତ ଆରବ ରାଷ୍ଟ୍ରସଂଘ ଓ ସାଉଦି ଆରବ କଶ୍ମୀର ମାମଲାରେ ନିରପେକ୍ଷତା ଅବଲମ୍ବନ କରୁଛନ୍ତି। ଏପରିକି ଅର୍ଗାନାଇଜେସନ୍ ଅଫ୍ ଇସ୍ଲାମିକ୍ କୋ-ଅପରେସନ୍ ମଧ୍ୟ କଶ୍ମୀର ସମ୍ପର୍କରେ କୌଣସି ମନ୍ତବ୍ୟ ପ୍ରଦାନ କରିନି।