ଚାହିଦା ବୃଦ୍ଧି ପାଇଁ ପୁଣି ତୈଳଦର କମାଇଲା ସାଉଦିଆରବ

ମୁମ୍ବାଇ,ଏଜେନ୍ସି: କରୋନା ପ୍ରଭାବିତ ଅର୍ଥନୀତିକୁ ନେଇ ବିଶ୍ୱ ବଜାରରେ ଅଶୋଧିତ ତୈଳଦର ଭାରୀମାତ୍ରାରେ ପ୍ରଭାବିତ ହେବା ସହିତ ପ୍ରମୁଖ ରାଷ୍ଟ୍ରମାନଙ୍କ ଅର୍ଥନୀତି ବ୍ୟବସ୍ଥା ପାଇଁ ମଧ୍ୟ ସମସ୍ୟା ସୃଷ୍ଟି କରିଛି। ଆନ୍ତର୍ଜାତିକ ବଜାରରେ ତୈଳଦର ଏବେ ସର୍ବନିମ୍ନସ୍ତରରେ ପହଞ୍ଚିଥିବା ବେଳେ ବିଶ୍ୱର ସର୍ବବୃହତ ପେଟ୍ରୋଲିୟମ ରପ୍ତାନିକାରୀ ରାଷ୍ଟ୍ର ସାଉଦିଆରବ ସମେତ ବହୁ ଉପସାଗରୀୟ ରାଷ୍ଟ୍ରଗୁଡିକର ଅର୍ଥନୀତି ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଛି। ଆନ୍ତର୍ଜାତିକ ବଜାରରେ ତୈଳ ଚାହିଦା ବୃଦ୍ଧି କରିବାକୁ ସାଉଦିଆରବ ପକ୍ଷରୁ ଅକ୍ଟୋବର ମାସର କାରବାର ପାଇଁ ପୁଣିଥରେ ତୈଳଦରରେ ହ୍ରାସ କରାଯାଇଛି। ଉଭୟ ଏସିଆ ବଜାର ଏବଂ ଆମେରିକୀୟ କ୍ରେତାଙ୍କ ପାଇଁ ସାଉଦିଆରବର ସର୍ବବୃହତ ପେଟ୍ରୋଲିୟମ କମ୍ପାନୀ ସାଉଦି ଆରାମକୋ ଏହାର ମୂଲ୍ୟରେ ରିହାତି ଘୋଷଣା କରିଛି। ପୂର୍ବରୁ କରୋନା ସଂକ୍ରମଣକୁ ନେଇ ଆନ୍ତର୍ଜାତିକ ବଜାରରେ ସୃଷ୍ଟି ହୋଇଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଏକ ସ୍ଥିର ମୂଲ୍ୟ ନିର୍ଦ୍ଧାରଣ କରିବା ଉଦ୍ଦେଶ୍ୟରେ ସାଉଦିଆରବ ସମେତ ରୁଷିଆ ଏବଂ ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦନକାରୀ ରାଷ୍ଟ୍ର(ଓପେକ୍) ଦୈନିକ ଉତ୍ପାଦନରେ ୧୦ ନିୟୁତ ବ୍ୟାରେଲ ହ୍ରାସ କରିଥିଲେ। ଏହାସତ୍ତେ୍ୱ ଆନ୍ତର୍ଜାତିକ ବଜାରରେ ଚାହିଦାରେ ବୃଦ୍ଧି ଘଟିନଥିବା ବେଳେ ମୂଲ୍ୟରେ ମଧ୍ୟ କୌଣସି ବୃଦ୍ଧି ଘଟିବା ଦେଖାଯାଇନଥିଲା। ଏହାକୁ ନେଇ ସାଉଦି କମ୍ପାନୀ ଆରାମକୋ ବାଧ୍ୟ ହୋଇ ମୂଲ୍ୟ ହ୍ରାସ କରିଥିବା କୁହାଯାଇଛି।