ସତ୍ୟ ନଗର ୪ ସଂକ୍ରମିତ ବମିଖାଲ ଘଟଣା ସହ ଜଡ଼ିତ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ସତ୍ୟନଗର ସିଲ୍ ପାଇଁ ପ୍ରଶାସନର ପଦକ୍ଷେପ ପରେ ଅକସ୍ମାତ ଏହି ଅଞ୍ଚଳରେ ନୂଆ କରୋନା ରୋଗୀ ଚିହ୍ନଟ ନେଇ ସୃଷ୍ଟି ହୋଇଥିଲା ଆଶଙ୍କା । ସତ୍ୟନଗର ଛକ-କାଳିମନ୍ଦିର ଛକ-ପତଞ୍ଜଳି ଷ୍ଟୋର-ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଫିସର କ୍ବାର୍ଟର-ଚ୍ୟାରିଟି ଅଫ୍ ମିଶନାରୀଜ୍ ବାଟ ଦେଇ ବିଗ୍ ବଜାର ପର୍ୟ୍ୟନ୍ତ ଏକ ବର୍ଗାକାର ଅଞ୍ଚଳକୁ ପ୍ରଶାସନ ସିଲ୍ ନିମନ୍ତେ ନିର୍ଦେଶ ଦେଇଥିଲା। ଏହି ଅଞ୍ଚଳକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବ୍ୟବସ୍ଥା କରାଯିବା ସହ ଲୋକଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦେଇଥିଲା।

ଏହାପରେ ସତ୍ୟନଗର ଅଞ୍ଚଳରେ କରୋନା ରୋଗୀ ଚିହ୍ନଟ ଓ ସଂଖ୍ୟାକୁ ନେଇ କିଛି ଲୋକ ଗୁଜବ ଆରମ୍ଭ କରିଥିଲେ। ତେବେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ଏ ସମ୍ପର୍କରେ ସ୍ପଷ୍ଟ କରାଯାଇଛି । ସତ୍ୟନଗର ଅଞ୍ଚଳରେ ଠାବ ହୋଇଥିବା ୪ ସଂକ୍ରମିତଙ୍କ ମଧ୍ୟରୁ ୩ ଜଣ ପୂର୍ବରୁ ଚିହ୍ନଟ ହୋଇ ସାରିଛନ୍ତି ଏବଂ ଏମାନେ ବମିଖାଲ ସଂକ୍ରମିତଙ୍କ ସହ ଜଡ଼ିତ । ପୂର୍ବରୁ ସେମାନଙ୍କ କରୋନା ରିପୋର୍ଟ ପଜିଟିଭ ବାହାରିଛି ଏବଂ ଏହା ନୂଆ ଘଟଣା ନୁହେଁ । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ କୌଣସି ବୃଦ୍ଧି ହୋଇ ନାହିଁ, ଏହି ସଂଖ୍ୟା ପୂର୍ବପରି ୪୨ ରହିଛି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।