ମହାତ୍ମା ଗାନ୍ଧୀଙ୍କ ଅଣନାତି ସତୀଶ ଧୂପେଲିଆଙ୍କ କରୋନାରେ ମୃତ୍ୟୁ

ଜୋହାନ୍ସବର୍ଗ,ଏଜେନ୍ସି: ମହାତ୍ମା ଗାନ୍ଧୀଙ୍କ ଅଣନାତି ସତୀଶ ଧୂପେଲିଆ କରୋନରେ ଆକ୍ରାନ୍ତ ହୋଇ ଜୋହାନ୍ସବର୍ଗରେ ପ୍ରାଣ ହରାଇଛନ୍ତି। ସତୀଶଙ୍କ ଭଉଣୀ ଉମା ଧୂପେଲିଆ-ମେସ୍ଥ୍ରୀ ସୋସିଆଲ ମିଡିଆରେ ପୋଷ୍ଟିଂ କରିଥିବା ମେସେଜ୍ରୁ ଏହା ଜଣାପଡିଛି। ଉମା ଉଲ୍ଲେଖ କରିଛନ୍ତି, ସତୀଶ ନିମୋନିଆରେ ପୀଡିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଲା ବେଳେ ସେଠାରେ ସେ କରୋନାରେ ସଂକ୍ରମିତ ହୋଇଥିଲେ। ଉଲ୍ଲେଖଯୋଗ୍ୟ ସତୀଶଙ୍କ ଜନ୍ମଦିନର ତିନିଦିନ ଆଗରୁ ତାଙ୍କର ମୃତ୍ୟୁ ହୋଇଛି। ଉମାଙ୍କ ବ୍ୟତୀତ ସତୀଶଙ୍କର ଆଉ ଜଣେ ଭଉଣୀ କୀର୍ତ୍ତି ମେନନ୍ ଏବେ ଜୋହାନ୍ସବର୍ଗରେ ରହୁଛନ୍ତି। ସତୀଶ, ଉମା ଓ କୀର୍ତ୍ତି ମଣିଲାଲ ଗାନ୍ଧୀଙ୍କ ସନ୍ତାନ। ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ୨୦ ବର୍ଷ ରହି ଭାରତ ଫେରିବା ବେଳେ ସେଠାରେ ତାଙ୍କ ପୁଅ ମଣିଲାଲ ରହିଯାଇଥିଲେ। ସତୀଶ ଧୂପେଲିଆ ଜଣେ ଫଟୋଗ୍ରାଫର ଓ ଭିଡିଓ ଗ୍ରାଫର। ସେ ସେଠାରେ ଗାନ୍ଧୀ ବିକାଶ ଟ୍ରଷ୍ଟର ଜଣେ ସକ୍ରିୟ ସଦସ୍ୟ। ମହାତ୍ମା ଗାନ୍ଧୀ ଡର୍ବାନର ଫୋଏନିକ୍ସ ବସତିରେ ଯେଉଁ ସମାଜ ସେବାମୂଳକ କାର୍ଯ୍ୟ ଆରମ୍ଭ କରିଥିଲେ ପରବର୍ତ୍ତୀ କାଳରେ ତାକୁ ଆଗେଇ ନେଇଥିଲେ ସତୀଶ। ଏହା ବ୍ୟତୀତ ବହୁ ସମାଜ କଲ୍ୟାଣ ସଙ୍ଗଠନ ସହ ସେ ଜଡିତ ଥିଲେ। ସତୀଶଙ୍କ ବିୟୋଗରେ ତାଙ୍କର ଅଗଣିତ ବନ୍ଧୁ ଓ ସମ୍ପର୍କୀୟ ଗଭୀର ଶୋକପ୍ରକାଶ କରିଛନ୍ତି।