ବାରମ୍ବାର ହାରୁଥିବା ବିଜେପି ଏବେ ହତାଶ : ବିଜେଡି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କୁ ୫ଟି ପ୍ରଶ୍ନ ପଚାରିବା ପରେ କଡ଼ା ପ୍ରତିକ୍ରିୟା ରଖିଛି ବିଜେଡି। ସାଧାରଣ ନିର୍ବାଚନ ଓ ଉପନିର୍ବାଚନଗୁଡ଼ିକରେ ବାରମ୍ବାର ହାରି ବିଜେପି ଆଜି ଅତ୍ୟନ୍ତ ହତାଶ ଓ ନିରାଶ ଅବସ୍ଥାରେ ପହଞ୍ଚିଛି। ପିପିଲି ଉପନିର୍ବାଚନରେ ମଧ୍ୟ ବିଜେପି ନିଜର ପରାଜୟକୁ ଏକ ପ୍ରକାର ସ୍ୱୀକାର କରିସାରିଲାଣି ବୋଲି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର କହିଛନ୍ତି।
ଡକ୍ଟର ପାତ୍ର କହିଛନ୍ତି ଯେ ୨୦୧୪ ଓ ୨୦୧୯ ନିର୍ବାଚନରେ ବିଜେପି ଯେମିତି ଅଭ୍ୟାସଗତ ଭାବରେ ପ୍ରତିଦିନ ସାମ୍ବାଦିକ ସମ୍ମିଳନୀ କରିବା ଓ ନିର୍ବାଚନ ଅଧିକାରୀଙ୍କ ଦପ୍ତରକୁ ଦୌଡ଼ିବାର ନାଟକ କରୁଥିଲା ବର୍ତ୍ତମାନ ପିପିଲି ଉପନିର୍ବାଚନରେ ଅନୁରୂପ ନୀତି ଆପଣେଇଛି। ପାରମ୍ପରିକ ଭାବେ ବିଜେପି ଟଙ୍କା ବାଣ୍ଟିବା ଓ ହିଂସାକାଣ୍ଡ ଭିଆଇବା କାର୍ଯ୍ୟରେ ଲିପ୍ତ ଥିଲାବେଳେ, ଦଳର ଦୁଇ ସହଯୋଗୀ ପିପିଲିରେ ୫୦ଲକ୍ଷ ଟଙ୍କା ସହିତ ଧରାପଡ଼ି ଏହାକୁ ପ୍ରମାଣିତ କରିଛନ୍ତି। ଏହି ଜାତୀୟ ଦଳକୁ ଯଦି ସାମାନ୍ୟ ଲଜ୍ଜା ଥାଆନ୍ତା ତେବେ ବିଜେପି ଏତେ ତଳ ସ୍ତରକୁ ଯାଇନଥାନ୍ତା। ଓଡ଼ିଶାବାସୀଙ୍କ ପାଖରେ ଯେତେବେଳେ ବିଜେପି ଗ୍ରହଣୀୟ ହୋଇ ପାରୁନାହିଁ, ସେତେବେଳେ ଗଣମାଧ୍ୟମରେ ରହିବା ପାଇଁ ଏ ପ୍ରକାରର ସାମ୍ବାଦିକ ସମ୍ମିଳନୀ କରି ମିଛ ଓଗାଳୁଛି। ତେବେ ବିଜେପିର ଏଭଳି କାର୍ଯ୍ୟକୁ ପିପିଲିବାସୀ ଭଲଭାବେ ବୁଝିଛନ୍ତି ଏବଂ ପୂର୍ବ ଉପନିର୍ବାଚନଗୁଡିକ ଭଳି ଏଠାରେ ମଧ୍ୟ ବିଜେପିକୁ ପରାଜୟର ବାଟ ଦେଖାଇବାକୁ ସ୍ଥିର କରିଛନ୍ତି ବୋଲି ଡକ୍ଟର ପାତ୍ର କହିଛନ୍ତି।