କାର୍ଯ୍ୟରତ ସାମ୍ବାଦିକଙ୍କୁ ସରପଞ୍ଚ ସ୍ୱାମୀଙ୍କ ଆକ୍ରମଣ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ କାର୍ଯ୍ୟରତ ଥିବା ଏକ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ଅନ୍ତିମ ପାଣିଗ୍ରାହୀଙ୍କୁ ଆକ୍ରମଣ ହୋଇଛି। ସୂଚନା ଯୋଗ୍ୟ ଯେ ଝରନି ପଞ୍ଚାୟତରେ କୋଭିଡ ସେଣ୍ଟରରେ ଥିବା ଦାଦନ ଶ୍ରମିକମାନଙ୍କୁ ଟଙ୍କା ମିଳିନଥିବା ଅଭିଯୋଗ ହୋଇଥିଲା। ତେବେ ଏହି ଖବର ସଂଗ୍ରହ କରିବା ପାଇଁ ସାମ୍ବାଦିକ ଜଣଙ୍କ ଉକ୍ତ ପଞ୍ଚାୟତକୁ ଯାଇଥିଲେ। କିନ୍ତୁ ଝରନି ସରପଞ୍ଚ ପ୍ରେମଲତା ମେହେରଙ୍କ ସ୍ୱାମୀ ତାର ସହଯୋଗୀଙ୍କ ସହ ଆସି ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ।

ଏଥିସହ ତାଙ୍କ କ୍ୟାମେରା ଓ ବୁମକୁ ମଧ୍ୟ ଭାଙ୍ଗି ଦେଇଥିଲେ। ତେବେ ନିଜକୁ ବଞ୍ଚାଇବା ପାଇଁ ସାମ୍ବାଦିକ ଜଣଙ୍କ ଅନ୍ୟ ଏକ ଘରକୁ ଲୁଚି ଯାଇଥିଲେ। ପରେ ସେ ଏନେଇ ଥାନାରେ ଅଭିଯୋଗ କରିଥିଲେ ହେଁ ସରପଞ୍ଚଙ୍କ ସ୍ୱାମୀ ହୋଇଥିବାରୁ ପୁଲିସ ମଧ୍ୟ ଗିରଫ କରିନଥିବା ଜଣାପଡ଼ିଛି।