ଭୁବନେଶ୍ୱର : କରୋନା ମୁକାବିଲାରେ ରାଜ୍ୟରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ସରପଞ୍ଚଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଏକ ବଡ ଘୋଷଣା କରିଛନ୍ତି। ଗୁରୁବାର ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ସରପଞ୍ଚମାନଙ୍କୁ ଆଗ ଧାଡିର ଯୋଦ୍ଧା କହିବା ସହ ସେମାନଙ୍କୁ ୫୦ଲକ୍ଷ ଟଙ୍କା ବୀମା ସହାୟତା ରାଶିରେ ଅନ୍ତର୍ଭୁକ୍ତ କରିଛନ୍ତି। ସେମାନଙ୍କ ପରିବାରର ହିତ ପାଇଁ ସେମାନଙ୍କୁ ଏହି ସହାୟତା ରାଶିରେ ଅନ୍ତର୍ଭୁକ୍ତ କରାଯାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ପୂର୍ବରୁ ସରପଞ୍ଚମାନଙ୍କୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଥିବା ବେଳେ ପୁଣି ସେମାନଙ୍କ ପାଇଁ ଉପରୋକ୍ତ ସହାୟତା ଘୋଷଣା ରାଜ୍ୟବ୍ୟାପି ସରପଞ୍ଚଙ୍କ ମନୋବଳ ବୃଦ୍ଧିରେ ସହାୟକ ହେବ ବୋଲି କୁହାଯାଇଛି।
ମୁଖ୍ୟମନ୍ତ୍ରୀ ଟ୍ୱିଇଟ କରି କହିଛନ୍ତି ଯେ, ତୃଣମୂଳସ୍ତରରେ କରୋନା ମୁକାବିଲା ପାଇଁ ସରପଞ୍ଚମାନେ ଟିଏମ୍ସି, ସଙ୍ଗରୋଧ କେନ୍ଦ୍ର ଓ ଅନ୍ୟ କୋଭିଡ ସୁବିଧାଗୁଡିକର ସୁପରିଚାଳନାରେ ଉତ୍ସର୍ଗୀକୃତ ଭାବେ ମହତ୍ୱପୂର୍ଣ୍ଣ କାର୍ଯ୍ୟ କରୁଛନ୍ତି। ସେମାନେ ଆମ ଆଗ ଧାଡିର ଯୋଦ୍ଧା। ସେମାନଙ୍କ ପରିବାରର ହିତ ପାଇଁ ପୂର୍ବ ଘୋଷିତ ୫୦ଲକ୍ଷ ସହାୟତା ରାଶିରେ ସେମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଖାଲି ସରପଞ୍ଚ ନୁହଁନ୍ତି ବରଂ ବେସରକାରୀ ତଥା ସରକାରୀ କ୍ଷେତ୍ରରେ ଯେକୌଣସି ବ୍ୟକ୍ତି ଟିଏମ୍ସି, ସଙ୍ଗରୋଧକେନ୍ଦ୍ର ଓ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ସମେତ କୋଭିଡ ସୁବିଧା ପରିଚାଳନାରେ ନିୟୋଜିତ ଅଛନ୍ତି। ସେମାନେ ମଧ୍ୟ ଆମର ଯୋଦ୍ଧା। ସେମାନଙ୍କ ପରିବାରରକୁ ମଧ୍ୟ ଏହି ସହାୟତା ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।