ନିଜ ନିଜ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହେଲେ ଗୁଲୁଣ୍ଠି ସରପଞ୍ଚ ଓ ପୂର୍ବତନ ସରପଞ୍ଚ

ରାମନାଗୁଡା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ୍ ଅନ୍ତର୍ଗତ ଗୁଲୁଣ୍ଠି ଗ୍ରାମପଞ୍ଚାୟତର ସାବରଡାଠାରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏହି ମିଶ୍ରଣ ପର୍ବରେ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ତଥା ଜିଲ୍ଲା ବିଜେଡି ସଭାପତି ସୁଧୀର ଦାଶ, ଜିଲ୍ଲା ସମ୍ପାଦକ ଗଗନ ଆଚାର୍ଯ୍ୟ, ବ୍ଲକ ସଭାପତି ବିଜୟ ମାଣ୍ଡାଙ୍ଗି, ବ୍ଲକ ଅଧ୍ୟକ୍ଷା ରଜନୀ ମାଣ୍ଡାଙ୍ଗି, ଉପାଧ୍ୟକ୍ଷ ସୂର୍ଯ୍ୟରାଓ କୁମ୍ଭୀରିକା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରଜନୀ ମାଣ୍ଡାଙ୍ଗି, ଜିଲ୍ଲା ଯୁବ ଉପସଭାପତି ଅମିତ ମହାରଣା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦାମୋଦର କୈବତ୍ତ ପ୍ରମୁଖ ଉପସ୍ଥିତ ଥିଲେ।

ଗୁଲୁଣ୍ଠି ସରପଞ୍ଚ ସୁଶୀଳା ନିମାଲା, ପୂର୍ବତନ ସରପଞ୍ଚ କେଶବ ନିମାଲାଙ୍କ ସମେତ ତାଙ୍କର ବହୁ ସମର୍ଥକ ବିଜେଡ଼ି ଦଳରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଥିଲେ। ଆଜି ପୂର୍ବାହ୍ନରେ ଗୁଲୁଣ୍ଠି ଗ୍ରାମପଞ୍ଚାୟତର ସରପଞ୍ଚ ସୁଶିଳା ନିମାଲା, ପୂର୍ବତନ ସରପଞ୍ଚ କେଶବ ନିମାଲା ତାଙ୍କର ସମର୍ଥକଙ୍କ ସହ ସାବରଡା ଗ୍ରାମରେ ଆୟୋଜିତ କର୍ମୀ ବିଜେଡ଼ିର ମିଶ୍ରଣ ପର୍ବରେ ଦଳରେ ସାମିଲ ହେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ତାଙ୍କ ସହ ୨୦୦ରୁ ଊର୍ଦ୍ଧ୍ୱ ସମର୍ଥକ ସାମିଲ ହୋଇଛନ୍ତି।

ସେମାନଙ୍କୁ ଫୁଲମାଳ ଓ ଦଳୀୟ ଉତ୍ତରୀୟ ପ୍ରଦାନ କରି ଦଳକୁ ସ୍ୱାଗତ କରାଯାଇଥିଲା। ଏହାଦ୍ୱାରା ରାୟଗଡ଼ା ଜିଲ୍ଲାରେ ବିଜେଡି ଅଧିକ ଶକ୍ତିଶାଳୀ ହୋଇପାରିବ ବୋଲି ବିଜେଡି ଜିଲ୍ଲା ସଭାପତି ସୁଧୀର ଦାଶ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗଦାନ କରିଥିବା ଗୁଲୁଣ୍ଠି ସରପଞ୍ଚ ସୁଶୀଳା ନିମାଲା କହିଛନ୍ତି।